Categories: ଅନୁଗୋଳ

ପାର୍ଶ୍ୱ ରାସ୍ତା ପାଇଁ ଜଙ୍ଗଲରୁ ଗଛ କଟା ଅଭିଯୋଗ: ବନ ବିଭାଗ ଉପରକୁ ଦୋଷ ଠେଲିଲା ଠିକାସଂସ୍ଥା

ବନ୍ତଳା,୨୪ା୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଟିକରପଡା ରେଞ୍ଜ ଅଧୀନରେ ଥିବା କୁସଖଳିଠାରୁ ଟିକରପଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ବେଳେ ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ ଅଭୟାରଣ୍ୟ ଆଇନ ଉଲ୍ଲଂଘନ କରାଯାଇ ଜଙ୍ଗଲରୁ ଗଛ କଟାଯାଇଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଠିକା ସଂସ୍ଥା କିନ୍ତୁ ବନ ବିଭାଗ ଉପରକୁ ଦୋଷ ଠେଲିଛି। ଲିଖିତ ଅନୁମତି ନ ଥିଲେ ବି ବନ ବିଭାଗ ଏଥିପାଇଁ କହିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।
ଅଭିଯୋଗରୁ ପ୍ରକାଶ ଯେ, ଅଭୟାରଣ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ ସହ ଛୋଟ ଛୋଟ ପୋଲ ନିର୍ମାଣ ହେଉଛି। ଏହି ରାସ୍ତାକୁ ଲାଗି ସରକାରୀ ଓ ବେସରକାରୀ ଜାଗା ଥିଲେ ବି ସେଥିରେ ପାର୍ଶ୍ୱ ରାସ୍ତା କରା ନ ଯାଇ ପାହାଡ଼ ଓ ଗଛ କାଟି ପାର୍ଶ୍ୱରାସ୍ତା ନିର୍ମାଣ କରାଯାଉଛି। ଅଭୟାରଣ୍ୟ ଆଇନ ଅନୁଯାୟୀ ଗଛର ପତ୍ର, ପାଣି ନଷ୍ଟ କରାଯାଇ ପାରିବ ନାହିଁ। ଏଥିସହିତ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଓ ଖାଦ୍ୟ ନଷ୍ଟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଇନ ରହିଛି। ତେଣୁ ଏଠାରେ ବନ୍ୟପ୍ରାଣୀ ଆଇନ ୧୯୭୨କୁ ଉଲ୍ଲଂଘନ କରାଯାଇଥିବା ବୁଦ୍ଧୀଜୀବୀମାନେ କହିଛନ୍ତି। ଏପରି ଘଟଣାକୁ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ଏ ନେଇ ପୂର୍ତ୍ତ ବିଭାଗକୁ ଚିଠି କରିବା ସହିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାତକୋଶିଆ ଡିଏଫଓଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସାତକୋଶିଆ ଡିଏଫ୍‌ଓ ରାମସ୍ବାମୀ ପି. କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ପାହାଡ଼ ଓ ଗଛ କାଟିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ପୂର୍ତ୍ତ ବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ଚିଠି କରାଯାଇଛି। ପୂର୍ତ୍ତ ବିଭାଗ ଏସ୍‌ଡିଓ ବିନୟ କୁମାର ପାଢୀ କହିଛନ୍ତି, ଗଛ ନଷ୍ଟ କରି ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସାଧାରଣ ଲୋକ ଓ ଗାଡି ଯିବା ଆସିବା ପାଇଁ ଠିକାଦାର ପାର୍ଶ୍ୱ ରାସ୍ତା ନିର୍ମାଣ କରିଥାନ୍ତି। ଏ ସମ୍ପର୍କରେ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥାର ପ୍ରମୁଖ ଆନନ୍ଦ ରାଉଳ କହିଛନ୍ତି, ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ବେସରକାରୀ ଜମି ରହିଛି। କିନ୍ତୁ ମାଲିକମାନେ ଜମି ଛାଡ଼ିଲେନି। ବନ ବିଭାଗ କହିବାରୁ ପାହାଡ଼ ଉପରେ ପାର୍ଶ୍ୱ ରାସ୍ତା ନିର୍ମାଣ କରାଯାଇଛି। ହେଲେ କୌଣସି ଲିଖିତ ଆଦେଶ ବନ ବିଭାଗ ଦେଇ ନାହିଁ ବୋଲି ରାଉଳ ପ୍ରକାଶ କରିଛନ୍ତି।