Categories: ବାଣିଜ୍ୟ

ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

 

ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ ଆରମ୍ଭ ହେଉଛି। ଏହା ଦେଶର ୨୫୦ ସହରରେ ଆୟୋଜନ କରାଯିବ। ପାର୍ବଣ ସମୟରେ ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଋଣ ଯୋଗାଣ ନେଇ ବ୍ୟାଙ୍କଗୁଡିକ ଲକ୍ଷ୍ୟ ରଖିଛନ୍ତି। ୪ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଖୁଚୁରା, କୃଷି, ଯାନବାହନ, ବାସଗୃହ, ଶିକ୍ଷା, ପର୍ସନାଲ ବର୍ଗରେ ଋଣ ପ୍ରଦାନ କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ଦେଶର ୧୫୦ ସହରରେ ଆୟୋଜନ କରାଯିବାକୁ ଯୋଜନା ରଖାଯାଇଛି। ଦୀପାବଳି ସମୟରେ ଅକ୍ଟୋବର ୨୧ରୁ ୨୫ ଯାଏ ଏହା ଅନୁଷ୍ଠିତ ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବ୍ୟାଙ୍କିଙ୍ଗ ସଂସ୍କାର ସହ ବ୍ୟାଙ୍କ ସେବାକୁ ଲୋକାଭିମୁଖୀ କରିବା ଏବଂ ସେବା ଯୋଗାଣ ଧାରାକୁ ଉନ୍ନତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ଗତ ମାସରେ ବାର୍ଷିକ କାର୍ଯ୍ୟଧାରା ସମୀକ୍ଷା ବେଳେ ଦେଶର ୪୦୦ ଜିଲାରେ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଧାରାରେ ଘରୋଇ ବ୍ୟାଙ୍କଗୁଡିକ ଯୋଡି ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। କ୍ୟାମ୍ପଗୁଡିକ ଏମ୍‌ଏସ୍‌ଏମ୍‌ଇ, କ୍ଷୁଦ୍ର ଖୁଚୁରା ବାଣିଜ୍ୟ, ଏଣ୍ଡ କଷ୍ଟମରଙ୍କୁ ସମସ୍ତ ପ୍ରକାରର ଋଣ ସେବା ଯୋଗାଣ ଲାଗି ଓ୍ବାନଷ୍ଟପ ସଲ୍ୟୁଶନ ଭାବେ କାର୍ଯ୍ୟ କରିବ। ପାର୍ବଣ ସମୟରେ ବାଣିଜି୍ୟକ ସଂସ୍ଥାଗୁଡିକୁ ପ୍ରୋତ୍ସାହନ ଏବଂ ଗ୍ରାହକଙ୍କ ନିକଟରେ ନଗଦ ଉପଲବ୍ଧ କରାଇବାକୁ ଏଭଳି କ୍ୟାମ୍ପ ସହାୟକ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବା ଲାଗି ଜିଲାସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିଲାଗି ସ୍ଥାନୀୟ ଭେଣ୍ଡର ଆସୋସିଏଶନ, ବାଣିଜି୍ୟକ ପ୍ରତିଷ୍ଠାନ, ଚାମ୍ବର ଅଫ କମର୍ସଙ୍କୁ ମଧ୍ୟ ସାମିଲ କରାଯିବ। ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ବିଭିନ୍ନ ପଦକ୍ଷେପ ନିଆଯିବ।

Share