ପାରିଶ୍ରମିକ କାଟ୍‌ କଲା କାରଖାନା, ଜିଲାପାଳଙ୍କୁ ଫେରାଦ ହେଲା ଠିକା ଶ୍ରମିକ ସଂଘ

ବରଗଡ଼ ଅଫିସ୍‌,୧୭।୪: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଏଠାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ତଥା ପାରିଶ୍ରମିକ କାଟ୍‌ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଶୁକ୍ରବାର ବରଗଡ଼ ସିମେଣ୍ଟ ଠିକା ଶ୍ରମିକ ସଂଘ ଜିଲାପାଳଙ୍କୁ ଫେରାଦ ହୋଇଥିଲା । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ କାରଖାନା କର୍ତ୍ତୃପକ୍ଷ କାଟି ଦେଇଥିବା ମଜୁରୀ ସହିତ ଏଭଳି ବିପର୍ଯ୍ୟୟ ସମୟରେ ଅଗ୍ରୀମ ୪ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଶ୍ରମିକଙ୍କୁ ପ୍ରଦାନ ଦିଗରେ ବହିତ ପଦକ୍ଷେପ ନେବା ପାଇଁ ନିବେଦନ କରାଯାଇଛି । ଲକ୍‌ ଡାଉନ ପରେ ଶ୍ରମିକଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା ଦୁର୍ବିସହ ହୋଇ ପଡ଼ିଛି । ଅନ୍ୟପଟେ ସିମେଣ୍ଟ କାରଖାନାରୁ ନିଜ ପ୍ରାପ୍ୟ ପାଉଣା ପାଇ ପାରୁ ନଥିବା ଯୋଗୁ ଶ୍ରମିକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇ ପଡ଼ିଛି । ଫଳରେ ଶ୍ରମିକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସେମାନେ ଯେଭଳି ବକେୟା ତଥା କାରଖାନା କର୍ତ୍ତୃପକ୍ଷ କାଟି ଦେଇଥିବା ପାଉଣା ପାଇ ପାରିବେ, ସେଥିପ୍ରତି ତ୍ୱରିତ୍‌ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିବେଦନ କରାଯାଇଛି । ବରଗଡ଼ ସିମେଣ୍ଟ ଠିକା ଶ୍ରମିକ ସଂଘର ସଭାପତି ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ଅଫିସ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ।