ପାଣି ଭିତରୁ ମିଳିଲା ୭୦ ହଜାର ଟଙ୍କାର ଶାଳକାଠ

କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଭଗାମୁଣ୍ଡା ସେକ୍ସନ ବାଇଲୋ ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢ଼ାଉରେ ମୂଲ୍ୟବାନ ଶାଳକାଠ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ। ହେଲେ ବନବିଭାଗର ପାଟ୍ରୋଲିଂ ଚାଲିଥିବା ଦେଖି ଭୟଭୀତ ହୋଇ ପାଖରେ ଥିବା ଏକ ଜଳାଶୟ ଭିତରେ ଲୁଚାଇ ପଳାଇଥିଲେ । ଖବର ପାଇ ଶନିବାର ଚଢ଼ାଉ କରାଯାଇ ନାଳ ଭିତରେ ଓ ନିକଟରେ ଲୁଚାଯାଇଥିବା କାଠକୁ ଜବତ କରାଯାଇଛି। ଜବତ କାଠଗୁଡିକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ରେବଣା ସଂରକ୍ଷିତ ଜଙ୍ଗଲରୁ ନିୟମିତ କାଠ ମାଫିଆମାନେ ମୂଲ୍ୟବାନ ଗଛ କାଟି ଚୋରା ଚାଲାଣ କରୁଥିଲେ ହେଁ ରୋକାଯାଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ କେତେକ ଲୋକଙ୍କ ଜରିଆରେ ଏହି ସବୁ କାଠ କାଟି ମାଫିଆମାନେ ବାହାରକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏନେଇ ଆଖପାଖ ଗ୍ରାମରେ ଚଢ଼ାଉ କଲେ ବହୁ ପରିମାଣରେ କାଠ ଜବତ ହୋଇ ପାରିବ ଏବଂ ମାଫିଆମାନେ ଧରାପଡ଼ିବେ ବୋଲି ମତ ପ୍ରକାଶ ପାଇଛି।