ପାଣିରେ ବୁଡ଼ି ଚାଷୀଙ୍କ ଜୀବନ ଗଲା

ସମ୍ବଲପୁର,୫।୯(ବ୍ୟୁରୋ) : ସମ୍ବଲପୁର ଜିଲା ମହୁଲପାଲି ଥାନା ଗଡ଼ମୁଣ୍ଡା ନିକଟ ଏକ ନାଳରୁ ଲଇକେରା ଥାନା ନାକଡିହି ଗ୍ରାମର ଚାଷୀ ମନୋଜ ଓରାମ(୪୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ବର୍ଗ ଏବଂ ଗ୍ରାମବାସୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ମୃତ ମନୋଜ ଗଡ଼ମୁଣ୍ଡା ଗ୍ରାମରେ ଥିବା ନିଜ ଜମିକୁ ଚାଷ କରିବାକୁ ଆସି ଆଉ ଫେରି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହୁଲପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପରିବାରଙ୍କ ଅଭିଯୋଗ କ୍ରମେ, ମନୋଜ ବୁଧବାର କ୍ଷେତକୁ ଯାଉଥିବା କହି ଘରୁ ବାହାରି ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଗୁରୁବାର ସକାଳୁ କ୍ଷେତ ପାଖ ନାଳରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।