ପାଞ୍ଚ ବର୍ଷର ଝିଅକୁ ବଳାତ୍କାର

ବୋରିଗୁମ୍ମା,୭ା୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଗାଁରେ ଜଣେ ପାଞ୍ଚବର୍ଷର ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି। ବୁଧବାର ଉକ୍ତ ଗ୍ରାମର ଡମୁ ମୁଦୁଲି (୨୫) ମାଛ ଧରିବା ବାହାନାରେ ନାବାଳିକାଙ୍କୁ ଡାକିନେଇ ପାଖ ଜଙ୍ଗଲରେ ବଳାତ୍କାର କରିଥିଲେ। ଏହାପରେ ତାଙ୍କୁ ଘରେ ଆଣି ଛାଡ଼ିଦେବା ସହ ଘଟଣା ବିଷୟରେ ବାହାରେ ପ୍ରକାଶ ନ କରିବା ପାଇଁ ପରିବାର ଲୋକଙ୍କୁ ଧମକ ଦେଇଥିଲେ ଡମୁ। କିନ୍ତୁ ପୀଡ଼ିତା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଗୁରୁବାର ତାଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ। ଦଫା ୩୭୬ (ଏବି), ୨୯୪, ୫୦୬ (ବି), ପୋକ୍‌ସୋ ଆଇନ ଅନୁସାରେ କେସ୍‌ ନଂ ୧୬୧ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସଞ୍ଜୟ ମଣ୍ଡଳ ପ୍ରକାଶ କରିଛନ୍ତି। ଏଯାବତ୍‌ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ।