ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍‌ ସେମିଫାଇନାଲଠାରୁ ମଜଭୁତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍‌ର ଟିକେଟ୍‌ ନ ଥାଇ ମଧ୍ୟ ଚାଚା ଧୋନୀଙ୍କୁ ସମର୍ଥନ କରିବା ଲାଗି ସିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି। କାରଣ ସେ ନିଶ୍ଚିତ ଥିଲେ ଯେ, ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଧୋନୀ ଟିକେଟ୍‌ ବ୍ୟବସ୍ଥା କରିଦେବେ। ମୁଁ ଏଠାକୁ ଆସିବା ପରେ ଦେଖିଲି ଟିକେଟ ପାଇଁ ଲୋକେ ୮୦୦ରୁ ୯୦୦ ପାଉଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ଏଠାରୁ ସିକାଗୋ ଫେରିବା ପାଇଁ ମଧ୍ୟ ବିମାନରେ ସମାନ ଅର୍ଥ ଦରକାର। ଧୋନୀଙ୍କୁ ଧନ୍ୟବାଦ। ତାଙ୍କ ଯୋଗୁ ମୋତେ ଟିକେଟ୍‌ ପାଇଁ ସଂଘର୍ଷ କରିବାକୁ ପଡ଼ିଲା ନାହିଁ ବୋଲି ୬୩ ବର୍ଷୀୟ ପ୍ରଶଂସକ ତଥା ସିକାଗୋର ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି। ୨୦୧୧ ବିଶ୍ୱକପ୍‌ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ମୋହାଲିଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ବାଶିର ଟିକେଟ୍‌ ପାଇ ନ ଥିଲେ। ତାଙ୍କୁ ଧୋନୀ ସାହାଯ୍ୟ କରିଥିଲେ। ୮ ବର୍ଷ ପରେ ମଧ୍ୟ ସମାନ କାହାଣୀ ସାମ୍ନାକୁ ଆସିଛି। ଏହା କାହାକୁ ଅଛପା ନାହିଁ ଯେ ବାଶିର ନିଜ ଦେଶ ପରିିବର୍ତ୍ତେ ଧୋନୀଙ୍କ ଦଳକୁ ସମର୍ଥନ କରନ୍ତି। ବେଳେବେଳେ ନିଜ ସାଥୀ ଖେଳାଳିଙ୍କ ପାଇଁ ଅପହଞ୍ଚ ଥିବା ଧୋନୀ କଦାପି ବାଶିରଙ୍କୁ ନିରାଶ କରିନାହାନ୍ତି। ସେ ଏବେ ବ୍ୟସ୍ତ ଥିବାରୁ ମୁଁ ଫୋନ କରିନାହିଁ। କେବଳ ମେସେଜ ଜରିଆରେ ତାଙ୍କ ସହ ଯୋଗାଯୋଗ କରେ। ବହୁ ଆଗରୁ ଧୋନୀ ମୋତେ ଆଶ୍ୱାସନା ଦେଇଥିଲେ। ସେ ଜଣେ ଭଲ ମଣିଷ ମଧ୍ୟ। ସେ ଯାହା ମୋ ପାଇଁ ମୋହାଲି ମ୍ୟାଚ୍‌ବେଳେ କରିଛନ୍ତି ତାହା ଆଉ କେହି କରିପାରିବେ ବୋଲି ଚିନ୍ତା କରିପାରୁ ନାହିଁ। ମୁଁ ମାଗଣାରେ ଟିକେଟ୍‌ ପାଇଛି, ଯାହାକୁ ଉଭୟ ଦେଶର ପ୍ରଶଂସକ ଅପେକ୍ଷା କରି ରୁହନ୍ତି। ଚଳିତ ଥର ଏହା ମୋ ପାଇଁ ଉପହାର ଭଳି ହୋଇଛି ବୋଲି ସେ କହିଛନ୍ତି। ବାଶିର ପାକିସ୍ତାନ ଦଳ ରହୁଥିବା ହୋଟେଲରେ ଚେକ୍‌ଇନ୍‌ କରିବା ପରେ ସେଠାରେ ପାକ୍‌ ଦଳର ପ୍ରାୟ ଖେଳାଳିଙ୍କୁ ଭେଟିଥିଲେ। ଏହାପରେ ସେ ଭାରତୀୟ ଦଳର ହୋଟେଲରେ ଚେକ୍‌ଇନ୍‌ କରିଥିଲେ। କେବଳ ଧୋନୀଙ୍କ ଲାଗି ନୁହେଁ ବରଂ ତାଙ୍କ ହାଇଦ୍ରାବାଦୀ ପତ୍ନୀଙ୍କ ପାଇଁ ସେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ଭାରତୀୟ ଦଳର ସୁପରଫ୍ୟାନ ଭାବେ ପରିଚିତ ସୁଧୀର ମଧ୍ୟ ତାଙ୍କ ଭଲ ବନ୍ଧୁ।

Share