Categories: ଜାତୀୟ

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ ନିଜ ମାଟିରେ ପ୍ରୋତ୍ସାହନ ଦେବା ବନ୍ଦ ନ କଲେ ପରିଣାମ ଭୟାବହ ହେବ ବୋଲି ଭାରତ ଚେତାଇ ଦେଇଛି। ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ)ର ୨୭ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ସେପ୍ଟେମ୍ବର ମାସ ସୁଦ୍ଧା ନିଜକୁ ଆତଙ୍କବାଦ ବିରୋଧୀ ଦେଶଭାବେ ପ୍ରମାଣିତ କରିବାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି।
ଆମେରିକାର ଫ୍ଲୋରିଡାରେ ଏଫ୍‌ଏଟିଏଫ୍‌ର ଶେଷ ହୋଇଥିବା ସପ୍ତାହବ୍ୟାପୀ ବୈଠକରେ ମଧ୍ୟ ପାକିସ୍ତାନକୁ ଚେତାବନୀ ଦିଆଯାଇ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଆମେରିକା, ୟୁ.କେ., ଫ୍ରାନ୍ସ ଭଳି ଦେଶଗୁଡ଼ିକ ଆତଙ୍କବାଦୀ ହାଫିଜ୍‌ ସୟିଦ, ମାସୁଦ୍‌ ଆଝାର ବିରୋଧରେ ପାକିସ୍ତାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଆଦି ପ୍ରସଙ୍ଗ ଉଠାଇଥିଲେ। ଏବେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ରେ ରଖାଯାଇଥିବାବେଳେ ସେପ୍ଟେମ୍ବର ସୁଦ୍ଧା ଏଲ୍‌ଇଟି, ଜେଇଏମ୍‌ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେବା ବନ୍ଦ ନ କଲେ ଓ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ନ ନେଲେ ବିଭିନ୍ନ ଆଡୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନରୁ ସହାୟତା ବନ୍ଦ କରାଯିବା ସହ ଆଇଏମ୍‌ଏଫ୍‌, ଡବ୍ଲ୍ୟୁବି,ଏଡିବି,ଇୟୁ ଆଦିରୁ ପାଉଥିବା ସହଯୋଗ ପାକିସ୍ତାନ ହରାଇବ ବୋଲି କୁହାଯାଇଛି।

Share