Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୭-୯: ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ପ୍ରାୟ ୨୫ ମାସର ସର୍ବନିମ୍ନ ସ୍ତର ୧.୦୮%ରେ ଅପରିବର୍ତ୍ତିତ ରହିଛି। ଜୁଲାଇ ମୁକାବିଲାରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ଷକ ପୂର୍ବେ ସମାନ ଅବଧିରେ ଅର୍ଥାତ୍‌ ୨୦୧୮ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହାର ୪.୬୨% ରହିଥିଲା। ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇ ୩.୨୧% ହୋଇଛି। ସୋମବାର ଜାରି ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ ଖାଦ୍ୟପଦାର୍ଥ ସୂଚକାଙ୍କ ୧.୪% ବୃଦ୍ଧି ପାଇଛି। ମସଲା, କେତେକ ଡାଲି ଜାତୀୟ ଖାଦ୍ୟସାମଗ୍ରୀ ମୂଲ୍ୟ ୪% ବଢ଼ିଥିବା ବେଳେ ଫଳ ଓ ପନିପରିବା ଏବଂ ପର୍କ ମାଂସ ଦର ୩%, ମାଛ,ଗହମ,ମକା, ବିଫ୍‌ ଆଦି ମୂଲ୍ୟ ୨%,କ୍ଷିର, ରାଜମା, ଧାନ, ମଟନ ଦରରେ ୧% ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଅଣ୍ଡା ମୂଲ୍ୟ ୭%, ଚା’ପତ୍ର ମୂଲ୍ୟ ୨% ଏବଂ ଚିକେନ ମୂଲ୍ୟ ୧% ହ୍ରାସ ପାଇଛି। ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮% ରହିଥିଲା।

Share