ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁ

ରାଉରକେଲା ଅଫିସ,୧୨ା୫-ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିମନ୍ତେ ରେଳ ମନ୍ତ୍ରଣାଳୟ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ। ସେ ଏକ ପତ୍ର ଲେଖି ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଶ୍ଚିମ ଓଡିଶାବାସୀଙ୍କ ସମସ୍ୟା ଜଣାଇଛନ୍ତି। ଏଥିରେ ଓରାମ ଦର୍ଶାଇଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଦେଶରେ ୧୫ ଯୋଡା ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି । ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ମଧ୍ୟ ଏଭଳି ଟ୍ରେନ ବ୍ୟବସ୍ଥା କରାଯାଇଛି। ତେବେ ପଶ୍ଚିମ ଓଡିଶାକୁ ଏଭଳି ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳ ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ଓରାମ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି, ପଶ୍ଚିମ ଓଡ଼ିଶାର ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ସମେତ ଅନ୍ୟ କେତେକ ଜିଲାର ବହୁ ପ୍ରବାସୀ ରାଜ୍ୟକୁ ଫେରିବାକୁ ଚାହିଁ ବସିଛନ୍ତି। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ବହୁ ଲୋକ ଫସି ରହିଛନ୍ତି। ଏଣୁ ଏ ଦିଗରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦୃଷ୍ଟି ଦେବାକୁ ଓରାମ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।