ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି:ପାଶ୍ୱାନ

ନୂଆଦିଲ୍ଲୀ,୧୩।୪: ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ୱାରା ସରକାର ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଦାନ କରୁଥିବା ଖାଦ୍ୟଶସ୍ୟର ଅଭାବ ଏବେ ନାହିଁ। ପିଡିଏସ୍‌ରେ ପ୍ରଦାନ କରାଯାଉଥିବା ହିତାଧିକାରୀଙ୍କ ଲାଗି ଖାଦ୍ୟଶସ୍ୟ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣରେ ରହିଛି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି। ସେ କହିଛନ୍ତି ଯେ, ଭଣ୍ଡାରରେ ଯେତେ ପରିମାଣର ଖାଦ୍ୟ ଶସ୍ୟ ଉପଲବ୍ଧ ରହିଛି ସେଥିରେ ଲୋକଙ୍କୁ ୯ ମାସ ଯାଏ ଯୋଗାଣ କରିବା ସମ୍ଭବ ହେବ। ଚଳିତ ବର୍ଷ ଗହମ ଉତ୍ପାଦନ ଉନ୍ନତ ହେବା ନେଇ ଆଶା ରହିଛି। ଏଣୁ ସରକାରଙ୍କ ନିକଟକୁ ଅଧିକ ପରିମାଣର ଖାଦ୍ୟଶସ୍ୟ ଆସିପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ନିକଟକୁ କିଭଳି ଖାଦ୍ୟଶସ୍ୟ ପହଞ୍ଚିବ ସେ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଯୋଜନା ଗ୍ରହଣ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗରିବଙ୍କୁ ପ୍ରଦାନ କରିବା ଲାଗି ୨୯୯.୪୫ ଲକ୍ଷ ଟନ୍‌ ଚାଉଳ ମହଜୁଦ ହୋଇ ରହିଛି। ଏହାବାଦ ୨୩୫.୩୩ ଟନ୍‌ ଗହମ ରହିଛି। ମୋଟାମୋଟି ଭାବେ ୫୩୪.୭୮ ଲକ୍ଷ ଟନ୍‌ ଗୋଦାମରେ ରହିଛି। ଏଥି ମଧ୍ୟରୁ ପ୍ରତିମାସରେ ୬୦ ଲକ୍ଷ ଟନ୍‌ ବଣ୍ଟନ ବ୍ୟବସ୍ଥା ଲାଗି ପ୍ରଦାନ କରାଯାଉଛି।

Share