Categories: ଫୁରସତ

ପର୍ଯ୍ୟଟନ: ମହାରାଷ୍ଟ୍ରର’ମାଣିକଗଡ଼ ଦୁର୍ଗ’; କେବେ ଓ କେମିତି ଯିବେ..

ମହାରାଷ୍ଟ୍ରସ୍ଥିତ ମାଣିକଗଡ଼ ଦୁର୍ଗ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଖାସ୍‌କରି ଏଠାରେ ନୂଆକରି ନିର୍ମିତ ହୋଇଥିବା କାଠର ଦୁଇଟି ପାଗୋଡା ଏକ ନିଆରା ଅନୁଭୂତି ଦେଉଛି…


ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ମହାରାଷ୍ଟ୍ରର ଭିନ୍ନ ଏକ ସ୍ବତନ୍ତ୍ରତା ରହିଛି। ପ୍ରକୃତିପ୍ରେମୀଙ୍କଠାରୁ ଆରମ୍ଭକରି ରୋମାଞ୍ଚକର ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ଅଛି ବହୁ ପ୍ରାଚୀନ ଦୁର୍ଗ, ମହଲ, ମନ୍ଦିର, ଶୈଳନିବାସ, ଜଳପ୍ରପାତ ତଥା ଆହୁରି ଅନେକ କିଛି। ସେମିତି ଏକ ଐତିହାସିକ ଦୁର୍ଗ ଭାବେ ସ୍ଥାନୀୟ ମାଣିକଗଡ଼ ଦୁର୍ଗ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଚାଲିଛି।

ଦୁର୍ଗ ସମ୍ପର୍କରେ
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହିଛି ଏହି ମାଣିକଗଡ଼ ଦୁର୍ଗ, ଯାହା ସ୍ଥାନୀୟ ଏକ ପାହାଡ଼ ଉପରେ ନିର୍ମିତ ହୋଇଛି। ସୂଚନାନୁଯାୟୀ, ସମୁଦ୍ର ପତ୍ତନରୁ ପ୍ରାୟ ୫୦୭ ମିଟର ଉଚ୍ଚତାରେ ଥିବା ଏହି ପାହାଡି ଦୁର୍ଗଟିକୁ ନାଗା କିଙ୍ଗ୍‌ ଗହିଲୁ ତିଆରି କରିଥିଲେ। ସେମାନଙ୍କର ଇଷ୍ଟ ଦେବୀ ଭାବେ ଜଣାଶୁଣା ମାଣିକଦେବୀଙ୍କ ନାମାନୁସାରେ ଏହି ଦୁର୍ଗଟିର ନାମକରଣ ହୋଇଥିବା ଅନୁମାନ କରାଯାଏ। ଦୁର୍ଗଟିର ଆକର୍ଷଣୀୟ କାରୁକାର୍ଯ୍ୟ ଏବେ ବି ଖୁବ୍‌ ଆକର୍ଷିତ ଲାଗେ। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନକୁ ବୁଲି ଆସିଲେ ଏକ ନିଆରା ଅନୁଭୂତି ମିଳିବା ସହ ଖୁବ୍‌ ଶାନ୍ତି ଲାଗିଥାଏ। ଦୁର୍ଗ ନିକଟରେ ରାଣୀଙ୍କର ଏକ ପ୍ରାସାଦ ରହିଛି, ଆଉ ତା’ ପାଖରେ ରହିଛି ଗୋଟିଏ ଛୋଟ ଡ୍ୟାମ୍‌, ଯାହା ଦୁର୍ଗକୁ ଭିନ୍ନ ଏକ ରୂପ ପ୍ରଦାନ କରିଥାଏ। ଗଛଲତା ଦ୍ୱାରା ଘେରି ହୋଇ ରହିଥିବା ଏହି ଦୁର୍ଗ ନିକଟରେ ଏବେ ବନ ବିଭାଗ ତରଫରୁ ଦୁଇଟି କାଠର ପାଗୋଡା ମଧ୍ୟ ତିଆରି କରାଯାଇଛି, ଯାହା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିପାରୁଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ଥିଲେ ହେଁ ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଯିବା ପାଇଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇଥାଏ। ସେହିପରି ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି ଏଠାରେ। ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହି ଦୁର୍ଗର ନିକଟବର୍ତ୍ତୀ ବିମାନବନ୍ଦର। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇକୁ ସିଧାସଳଖ ଟ୍ରେନ୍‌ ଯୋଗେ ମଧ୍ୟ ଯାଇହେବ। ଆଉ ସେଠାରୁ ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ମୋଟର ଗାଡ଼ି ଯୋଗେ ଯାଇ ସୁବିଧାରେ ମାଣିକଗଡ଼ ଦୁର୍ଗ ନିକଟରେ ପହଞ୍ଚତ୍ହେବ।

ଅନ୍ୟାନ୍ୟ ଦର୍ଶନୀୟସ୍ଥାନ
ଏହି ଦୁର୍ଗ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଚନ୍ଦ୍ରପୁର ଜିଲାରେ ଥିବା ଆଉ କେତୋଟି ଆକର୍ଷଣୀୟ ସ୍ଥାନ ବି ବୁଲି ଦେଖିପାରିବେ। ଯେମିତିକି ଚନ୍ଦ୍ରପୁର ସୁପର୍‌ ଥର୍ମାଲ୍‌ ପାଓ୍ବାର୍‌ ଷ୍ଟେଶନ, ଓ୍ବାର୍ଧା ଭାଲି କୋଲଫିଲ୍ଡ , ତଡୋବା ଅନ୍ଧାରୀ ଟାଇଗର୍‌ ରିଜର୍ଭ, ଇରଇ ଡ୍ୟାମ୍‌ ଇତ୍ୟାଦି ଅନ୍ୟତମ।

Share