Posted inଫୁରସତ

ପର୍ଯ୍ୟଟନ: ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ପୀଠ

ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତାଭାବେ ତାଙ୍କର ରହିଛି ଅନେକ ଖ୍ୟାତି…

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡିଠାରେ ରହିଛି ଐତିହାସିକ ଧବଳେଶ୍ୱର ପୀଠ। ସ୍ଥାନୀୟ ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତା ଭାବେ ତାଙ୍କର ରହିଛି ଅନେକ ଖ୍ୟାତି। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ।

ଇତିହାସ
ବେଲଖଣ୍ଡି ଧବଳେଶ୍ୱରଙ୍କ ଆବିର୍ଭାବକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ତେବେ ପୁରାଣ ପୃଷ୍ଠା ଓଲଟାଇଲେ ଜଣାଯାଏ, ପଞ୍ଚମ-ଷଷ୍ଠ ଖ୍ରୀଷ୍ଟାବ୍ଦ ସମୟରେ ସମଗ୍ର କଳାହାଣ୍ଡି ଜିଲାର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇ ରହିଥିଲା। ଆଉ ବେଲଖଣ୍ଡି ନିକଟସ୍ଥ ତାଳଭଅଁରା ଗ୍ରାମରେ ଗୌନ୍ତିଆ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ। ସେମାନଙ୍କର ଅନେକ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଇତ୍ୟାଦି ଥିଲେ। ପ୍ରତିଦିନ ଗାଈ ଚରାଳିମାନେ ନିକଟସ୍ଥ ତେଲ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଥିବା ଚାରଣଭୂମିକୁ ଗାଈମାନଙ୍କୁ ଚରାଇବାକୁ ନେଉଥିଲେ। ସେହି ଗାଈଗୋଠ ମଧ୍ୟରୁ ସବୁଠୁ ଅଧିକ କ୍ଷୀର ଦେଉଥିବା କାଳିଗାଈଟି ହଠାତ୍‌ କ୍ଷୀର ଦେବା ବନ୍ଦ କରିଦେଲା। ଏହାର କାରଣ କ’ଣ ତାହା ଲକ୍ଷ୍ୟ କରିବାରୁ ଜଣାଗଲା ପ୍ରତିଦିନ ଉକ୍ତ କାଳିଗାଈଟି ଘାସ ଚରି ସାରି ଗୋଠରୁ ବାହାରି ନଦୀକୂଳ ନିକଟବର୍ତ୍ତୀ ଏକ ସମତଳ ଜାଗାକୁ ଯାଇ ଠିଆ ହେଉଛି। ଆଉ ତା’ର ସ୍ତନରୁ ସ୍ବତଃପ୍ରବୃତ୍ତ ଭାବରେ କ୍ଷୀର ଝରି ଏକ ପ୍ରସ୍ତର ଉପରେ ପଡୁଛି। ଏକଥା ଦେଖି ଗାଈ ଜଗୁଆଳି ଆଶ୍ଚର୍ଯ୍ୟ ହୋଇଯିବା ସହ ନିକଟକୁ ଯାଇ ଦେଖିଲେ ଚିକ୍‌ ଚିକ୍‌ କଳା ପ୍ରସ୍ତର ଉପରେ କ୍ଷୀର ବୋହିଯାଇ ତାହା ଧବଳ ବର୍ଣ୍ଣ ଧାରଣ କରିଛି ଆଉ ସେଠାରେ ସଦ୍ୟ କନିୟର ଫୁଲ ଓ ବେଲପତ୍ର ମଧ୍ୟ ପଡିଛି। ଏକଥା ଧୀରେ ଧୀରେ ପ୍ରଘଟ ହୋଇ ତତ୍କାଳୀନ ରାଜାଙ୍କ କାନକୁ ଗଲା। ରାଜା ମଧ୍ୟ ସ୍ବଚକ୍ଷୁରେ ଏ ସମସ୍ତ ଘଟଣା ଦେଖି ଆଶ୍ଚର୍ଯ୍ୟ ହେଲେ। ପରେ ରାଜାଙ୍କୁ ସ୍ବପ୍ନାଦେଶ ହେଲା। ସ୍ବପ୍ନାଦେଶ ଅନୁସାରେ ରାଜା ସ୍ଥାନୀୟ ଅଧିବାସୀମାନଙ୍କ ସାହାଯ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଖନନ କରି ସେଠାରୁ ତ୍ରିକୋଣକାୟ ଭୂମିରେ ବିରାଟକାୟ ଶିବଲିଙ୍ଗକୁ ଉଦ୍ଧାର କଲେ। ପରେ ତାଙ୍କୁ ଶ୍ରୀ ଧବଳେଶ୍ୱର ନାମରେ ନାମିତ କରି ସେଠାରେ ଏକ ମନ୍ଦିର ନିର୍ମାଣ ହେଲା ଆଉ ତାଙ୍କର ପୂଜାର୍ଚ୍ଚନା କରାଗଲା।

ପର୍ବପର୍ବାଣି
ଏହି ମନ୍ଦିରରେ ସକାଳେ ଓ ସନ୍ଧ୍ୟାରେ ନୀତିନିୟମ ଅନୁସାରେ ପୂଜା ହୋଇଥାଏ। ମହାଶିବରାତ୍ରି ହେଉଛି ଏଠାକାର ଏକ ପ୍ରମୁଖ ପର୍ବ। ପ୍ରତି ବର୍ଷ ୭ଦିନ ଧରି ଏହି ପର୍ବ ଏଠାରେ ପାଳିତ ହୋଇଥାଏ। ସେ ସମୟରେ ସ୍ଥାନୀୟ କେତେକ ଅନୁଷ୍ଠାନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଅନ୍ୟପକ୍ଷେ ଦଶହରା ପର୍ବ ବି ଏଠାରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। କାରଣ ଉକ୍ତ ମନ୍ଦିର ପରିସରରେ ଶକ୍ତିପୀଠ ଭାବେ ଏକ ଚଣ୍ଡୀ ମନ୍ଦିର ରହିଛି। ତା’ଛଡ଼ା ବିବାହ, ହୋମ, ଯଜ୍ଞ, ପୁରାଣ ପାଠ, ଚଣ୍ଡୀପୂଜା, ଜଳାଭିଷେକ, ଗୋହତ୍ୟା ପ୍ରାୟଶ୍ଚିତ ଆଦି କର୍ମ ବି ଏଠାରେ କରାଯାଇଥାଏ। ସେହିପରି ଶ୍ରାବଣ ମାସରେ ଶିବଭକ୍ତ କାଉଡିଆମାନେ ହଜାର ହଜାର ସଂଖ୍ୟାରେ ଆସି ଏଠାରେ ଜଳାଭିଷେକ କରିଥାନ୍ତି।

ମନ୍ଦିର ପରିସର
ଏହି ଶୈବପୀଠ ପରିସରରେ ବେଲଗଛ, ତୁଳସୀ, ଅଁଳା, ନିମ୍ବ, ବରଗଛ, ତେନ୍ତୁଳିଗଛ, ଆମ୍ବ, ପଣସ, କଦଳୀ, ରାଧାଚୂଡ଼ା, ଡୁମେରଗଛ, କାଠଚମ୍ପା, ମନ୍ଦାର, କନିୟର, ଅରଖ, ଦୁଦୁରା ଇତ୍ୟାଦି ମୂଲ୍ୟବାନ ଗଛ ଭରପୂର ହୋଇ ରହିଛି। ସେହିପରି ବିଭିନ୍ନ ପର୍ବପର୍ବାଣି ସମୟରେ ସ୍ବତନ୍ତ୍ର ରୋଷେଇ କରିବା ପାଇଁ ଏକ ରୋଷ ଘର, ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ଆନନ୍ଦବଜାର ମଧ୍ୟ ଏଠାରେ ଅଛି। ତା’ଛଡ଼ା ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ବିଭିନ୍ନ ପ୍ରକାର ଦୋକାନ ବି ରହିଛି, ଯେଉଁଠାରୁ ଭକ୍ତଗଣ ପୂଜା ସାମଗ୍ରୀ ଜିନିଷ ସୁଲଭ ଦରରେ କିଣିପାରିବେ। ଭକ୍ତମାନଙ୍କ ବିଶ୍ରାମ ପାଇଁ ଏଠାରେ ଏକ ଆଶ୍ରୟସ୍ଥଳୀ ବି ରହିଛି। ଅନ୍ୟ ଏକ ଆଶ୍ରୟସ୍ଥଳୀ ନିର୍ମାଣାଧୀନ ଅବସ୍ଥାରେ ଅଛି।

କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ଯାଇହେବ। ଖାସ୍‌କରି ମହାଶିବରାତ୍ରି, ଦଶହରା ତଥା ବିଭିନ୍ନ ପର୍ବପର୍ବାଣି ସମୟରେ ଗଲେ ପ୍ରଭୁଙ୍କର ସ୍ବତନ୍ତ୍ର ପୂଜାବିଧି ଓ ସାଜସଜ୍ଜା ଦେଖିବାର ସୌଭାଗ୍ୟ ମିଳିବ। କିନ୍ତୁ ବର୍ଷାଦିନେ ବନ୍ୟା ପରିସ୍ଥିତି ଉପୁଜିଲେ ଏଠାକୁ ଯିବା ସମ୍ଭବ ହୋଇ ନ ଥାଏ। କାରଣ ଏହି ମନ୍ଦିରଟି ଯେହେତୁ ଦୁଇଟି ନଦୀର ସଂଗମସ୍ଥଳୀରେ ଅବସ୍ଥିତ, ତେଣୁ ବନ୍ୟା ହେଲେ ଏହା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଏ। ଏପରକି ମନ୍ଦିର ପରିସର ମଧ୍ୟ ଜଳମଗ୍ନ ହୋଇଯାଏ। ସେଥିପାଇଁ ଏହି ମନ୍ଦିରରେ ଥିବା କେତୋଟି ମୂଲ୍ୟବାନ ମୂର୍ତ୍ତିକୁ କିଛିବର୍ଷ ପୂର୍ବେ ଉଦ୍ଧାର କରି ଭବାନୀପାଟଣାସ୍ଥିତ ମାଣିକପୁରୀଠାରେ ରଖାଯାଇଛି।

କେମିତି ଯିବେ
ଏଠାକୁ ଯିବାକୁ ହେଲେ କେସିଙ୍ଗାରୁ ସିଧାସଳଖ ବସ୍‌ କମ୍ବା ଅନ୍ୟ ଯେକୌଣସି ମୋଟର ଯାନରେ ଯାଇହେବ। କେସିଙ୍ଗାରୁ ଏହି ଶୈବପୀଠ ପ୍ରାୟ ୩୫ କି.ମି.। ସେହିପରି ଏମ୍‌.ରାମପୁରରୁ ବି ସଡ଼କପଥରେ ଏଠାକୁ ଯିବାର ସୁବିଧା ରହିଛି।
-ତୁମେଶ୍ୱର ସାହୁ, କେସିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri