ପରୀକ୍ଷା ହଲ୍‌ରୁ ମିଳିଲା ମୋବାଇଲ

ପରଜଙ୍ଗ, ୨୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ଏକ ମୋବାଇଲ ଫୋନ୍‌ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତ୍ରିସ୍ତରୀୟ ଚେକିଂ ବଳୟ ଭେଦ କରି ମୋବାଇଲ କିପରି ପରୀକ୍ଷା କେନ୍ଦ୍ରକୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଷ୍ଟଶମ୍ଭୁ ବିଦ୍ୟାନିକେତନ ସ୍କୁଲରେ ଖାଲପାଳର ମା’ ମଙ୍ଗଳା ହାଇସ୍କୁଲ, କଲଦାର କେ.କେ.ଏମ. ସ୍କୁଲ, ଦଦରାଘାଟିର ରାମେଶ୍ୱର ନୋଡାଲ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ସେଣ୍ଟର କରାଯାଇଛି। ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରଜଙ୍ଗ ବିଇଓ ହରିହର ଦେହୁରୀ, କାମାକ୍ଷାନଗର ବିଇଓ ଅଜୟ ପାତ୍ର ସ୍କ୍ବାଡ୍‌ ଭାବେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ନିକଟରେ କପି ଦେବାକୁ ରୁଣ୍ଡ ହୋଇଥିବା ଶତାଧିକ ବ୍ୟକ୍ତି ସ୍କ୍ବାଡ୍‌ କର୍ମଚାରୀଙ୍କୁ ଦେଖି ଦୌଡ଼ି ପଳାଇଥିଲେ। କପି ହେଉଥିବା ଆଶଙ୍କାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଇଥିଲା। କପି କରୁଥିବାବେଳେ ୨ଜଣ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ସେମାନଙ୍କୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) କରାଯାଇଛି। ସେହିପରି ହଲ୍‌ ଭିତରେ ଅନ୍‌ ଥିବା ଅବସ୍ଥାରେ ଏକ ମୋବାଇଲ ଜବତ କରାଯାଇଛି। ତେବେ ଏହା କାହାର ତାହା ସ୍ପଷ୍ଟ ହୋଇନାହିଁ।
ମାଟ୍ରିକ ପରୀକ୍ଷାକୁ ବିଧି ବ୍ୟବସ୍ଥିତ କରିବାକୁ ତ୍ରିସ୍ତରୀୟ ଚେକିଂ ବ୍ୟବସ୍ଥା କରାଯାଇଛି। ଏପରି କି ଇନଭିଜିଲେଟରମାନେ ମଧ୍ୟ ପରୀକ୍ଷା ହଲ୍‌କୁ ମୋବାଇଲ ନେଇପାରିବେ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ତଥାପି କେନ୍ଦ୍ର ଭିତରୁ ମୋବାଇଲ ମିଳିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଇଓ ଦେହୁରୀ। ଏ ଦେଇ ସେ କୁହନ୍ତି, ଚେକିଂ ବେଳେ ହଲ୍‌ ଭିତରୁ ଏକ ବେଞ୍ଚ ନିକଟରେ ମୋବାଇଲଟି ଅନ୍‌ ଥିବା ଅବସ୍ଥାରେ ପଡ଼ିଥିଲା। ଏହାକୁ ଜବତ କରି ସ୍କୁଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଏହାର ତଦନ୍ତ ଜାରି ରହିଛି। ଏ ନେଇ ସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ମହେଶ ନାୟକ କୁହନ୍ତି, ସଂସ୍କୃତ ପରୀକ୍ଷା ଦିନ ଝରକା ବାହାର ପଟୁ ଏକ ମୋବାଇଲ ମିଳିଥିଲା। ଏହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଠିକ୍‌ ସମୟରେ ମୋବାଇଲ ଜବତ ହୋଇ ନ ଥିଲେ ପ୍ରଶ୍ନପତ୍ର ଭାଇରାଲ ଆଶଙ୍କା ଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ଏତେ ଚେକିଂ ପରେ କେନ୍ଦ୍ରକୁ ମୋବାଇଲ କିପରି ଆସିଲା ତାହାକୁ ଏବେ ସନ୍ଦେହ ଘେରରେ ରହିଛି। ଝରକା ପାଖରେ ଅଭିଭାବକ ଭିଡ଼ ଜମାଉଥିବାରୁ ଏଭଳି ଘଟଣା ଘଟୁଥିବା ସେ କହିଛନ୍ତି।