ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ରୁଗୁଡ଼ିପାଲି ଗ୍ରାମର ଶଶାଙ୍କ ମିଶ୍ର(୪୫) ବୋଲି ଜଣାପଡିଛି। ସେ ପରିସ୍ରା ପାଇଁ ଯାଇଥିବାବେଳେ ତାଙ୍କ ଧାନ ମିଲ ଘରର ପୁରୁଣା କାନ୍ଥ ତାଙ୍କ ଉପରେ ଭୁଷୁଡି ପଡ଼ିଥିବା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଓ ପରେ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସୋନପୁର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଶଶାଙ୍କ ମୃତଦେହ ଏବେ ସୋନପୁର ମେଡିକାଲରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଶଶାଙ୍କ ଜଣେ ବ୍ୟବସାୟୀ ଭାବରେ ସେ ପରିଚିତ ଥିଲେ। ସେ ଏହା ସହିତ ଧାନ ଓ କପା ଚାଷ ମଧ୍ୟ କରିଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ସେ ଜଣେ ମେଳାପି ଯୁବକ ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily


