Categories: ବାଣିଜ୍ୟ

ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ସପକ୍ଷରେ ନୀତି ଆୟୋଗ

ନୂଆଦିଲ୍ଲୀ,୨୭-୫: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭାରତୀୟ ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ଏବଂ ଏହାକୁ ଆଧୁନିକ ରୂପ ଦେବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ବାସ୍ତବିକ ସମୟର ପରିସଂଖ୍ୟାନ ମିଳିବ ଏବଂ ଏହାର ବ୍ୟବହାର ନୀତି ବିଶ୍ଲେଷଣରେ କରାଯାଇପାରିବ ବୋଲି ସେ କହିଛନ୍ତି। ଦେଶର ପରିସଂଖ୍ୟାନ ପ୍ରଣାଳୀକୁ ଆଧୁନିକ ରୂପ ଦେବା ଲାଗି ନୀତି ଆୟୋଗ ବିଶ୍ୱ ବ୍ୟାଙ୍କ ସହ ସମ୍ପର୍କ ରକ୍ଷା କରୁଛି ବୋଲି କୁମାର କହିଛନ୍ତି। ଦେଶର ପରିସଂଖ୍ୟାନ ପ୍ରଣାଳୀରେ ସୁଧାର, ଏହାକୁ ଆଧୁନିକ ରୂପ ଦେବା ତଥା ବିଶ୍ୱର ପରିସଂଖ୍ୟାନ ପ୍ରଣାଳୀ ସମକକ୍ଷ କରିବାର ଆବଶ୍ୟକତା ରହିଛି ବୋଲି ତାଙ୍କର ମତ ସ୍ପଷ୍ଟ ଥିବା କୁମାର କହିଛନ୍ତି। ସୂଚନାଥାଉ କି, ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ, ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ସମେତ ଅନେକ ବିଶେଷଜ୍ଞ ଦେଶରେ ସଂଶୋଧିତ ଆର୍ଥିକ ବୃଦ୍ଧି ହାର ପରିସଂଖ୍ୟାନକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ଉଭୟ ରାଜନ ଓ ସୁବ୍ରମଣ୍ୟନ କହିଥିଲେ ଯେ, ବର୍ତ୍ତମାନ ଜାରି କରାଯାଇଥିବା ଜିଡିପି ତଥ୍ୟକୁ ନେଇ ସନ୍ଦେହ ଦୂର ହେବା ଆବଶ୍ୟକ। ଏଥିଲାଗି ଏକ କମିଟି ଗଠନ କରାଯିବା ଜରୁରୀ, ଯିଏ କି ଏହା ଉପରେ ତର୍ଜମା କରିପାରିବ। କୁମାର କହିଛନ୍ତି ଯେ, ନିକଟରେ ବିଶ୍ୱ ବ୍ୟାଙ୍କ ପ୍ରତିନିଧିମାନେ ତାଙ୍କୁ ସାକ୍ଷାତ କରିଥିଲେ। ଦେଶରେ ପରିସଂଖ୍ୟାନ ପ୍ରଣାଳୀକୁ ଆଧୁନିକ ରୂପ ଦେବା ନେଇ କିଭଳି ପଦକ୍ଷେପ ନିଆଯାଉଛି ସେମାନେ ଜାଣିବାକୁ ଚାହିଁଥିଲେ।

Share