ପରିବା ବିକ୍ରି ବନ୍ଦ କଲେ ବ୍ୟବସାୟୀ

ବାରିପଦା ଅଫିସ, ୧୧ା୪: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ କଚେରୀ ବଜାର ପରିବା ମାର୍କେଟକୁ ଶନିବାର ବ୍ୟବସାୟୀମାନେ ବନ୍ଦ କରି ଦେଇଥିଲେ। ଫଳରେ ଲୋକେ ପରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ବ୍ୟବସାୟୀ ସଂଘ ସହିତ ପୋଲିସ ଅଧିକାରୀମାନେ ଆଲୋଚନା କରି ରବିବାର ପରିବା ମାର୍କେଟ ଖୋଲିବ ବୋଲି ନିଷ୍ପତ୍ତିି ହୋଇଛି। ପରିବା ବ୍ୟବସାୟୀ ସଂଘର ସଭାପତି ଉତ୍ତମ କୁମାର ଘଡ଼େଇଙ୍କ କହିବାନୁସାରେ ଲକ ଡାଉନ ପର ଠାରୁ ବ୍ୟବସାୟୀମାନେ ପ୍ରଶାସନର ସମସ୍ତ ନିଷ୍ପତ୍ତିକୁ ପାଳନ କରି ବ୍ୟବସାୟ କରି ଆସୁଛନ୍ତି। ହେଲେ ଶୁକ୍ରବାର ସନ୍ଧ୍ୟାରେ କଚେରୀ ବଜାରରେ ପରିବା ବେପାର କରୁଥିବା ବେଳେ ପୋଲିସ କର୍ମଚାରୀମାନେ ଯାଇ ୪ ଜଣ ବ୍ୟବସାୟୀଙ୍କୁ ସାମାଜିକ ଦୂରତ୍ୱ ପାଳନ କରୁ ନ ଥିବା ଅଭିଯୋଗରେ ଉଠାଇ ଆଣିଥିଲେ। ଏହାର ପ୍ରତିବାଦରେ ଶନିବାର ପରିବା ମାର୍କେଟ ବନ୍ଦ ହୋଇଥିଲା। ରବିବାରଠାରୁ ସାମାଜିକ ଦୂରତା ପାଳନ କରାଯାଇ ପରିବା ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ସେହିପରି ପରିବା ବେପାରୀମାନଙ୍କ ପାଇଁ ହୋଇଥିବା ପାସ୍‌କୁ ଦେଖି ପୋଲିିସ ସେମାନଙ୍କୁ ହଇରାଣ ନ କରି ଛାଡ଼ି ଦେବା ପାଇଁ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି।