ପରିବାର ଲୋକେ ଆସିଲେନି, ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍,୫।୪- ବରଗଡ଼ ସହରର ଜୀରାନଦୀ କୂଳ ସ୍ଵର୍ଗଦ୍ଵାରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସ୍ବେଛାସେବୀମାନେ ଛତିଶଗଡ଼ ଅଞ୍ଚଳର ଜଣେ ମୃତକଙ୍କ ଶବଦାହ କରିଛନ୍ତି। ମୃତକଙ୍କ ନାମ ପୁନିଡ୍ । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କେତେକ ଯୁବକ ପୁନିତଙ୍କୁ ବରଗଡ଼ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଛାଡି ପଳାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା । ଶବ ଚିହ୍ନଟ ହେବା ପରେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ମାତ୍ର ପରିବାର ଲୋକେ ଆସି ନଥିଲେ। ଏପରିକି ମୃତକଙ୍କ ବୃଦ୍ଧ ବାପା ଘରେ ଏକାକୀ ଥିବା ଯୋଗୁଁ ବରଗଡ଼ ଆସି ଶବ ନେବାକୁ କିମ୍ବା ଶବଦାହ ପାଇଁ ନିଜର ଅସହାୟତା ପ୍ରକାଶ କରିଥିଲେ। ଏ ନେଇ ସେ ସେଠାକାର ପୋଲିସକୁ ଲେଖି ଦେଇଥିଲେ ଏବଂ ଯେକେହି ଶବ ସଂସ୍କାର କଲେ ମଧ୍ୟ ତାଙ୍କ କୌଣସି ଆପତ୍ତି ଅଭିଯୋଗ ନଥିବା ସେଥିରେ ଉଲ୍ଲେଖ କରିଥିଲେ। ଭଟଲି ପୋଲିସ ଏ ସମ୍ପର୍କିତ ସୂଚନା ପାଇବା ପରେ ବରଗଡ଼ର ସ୍ବେଛାସେବୀମାନଙ୍କୁ ଶବ ସଂସ୍କାର ପାଇଁ ଅନୁମତି ଦେଇଥିଲା। ଏହାପରେ ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲ, ଟିକେଲାଲ ପଧାନ୍, ଲୋକନାଥ ମେହେର, ବସନ୍ତ ବାଗ, ସୁରଜ୍ ମାଲିକ ପ୍ରମୁଖ ଜୀରାନଦୀ କୂଳ ସ୍ଵର୍ଗଦ୍ଵାରକୁ ଶବ ନେଇ ଦାହ କରିଥିଲେ।