ପରିବହନ କାର୍ଯ୍ୟାଳୟରେ ଦଲାଲ ରାଜ: ହାତଗୁଞ୍ଜା ନେଇ କିରାଣିଙ୍କ ପରି କରୁଛନ୍ତି କାମ

ଅନୁଗୋଳ ଅଫିସ, ୧୯।୯ – ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଅସମ୍ଭବ ଭିଡ଼ ହେଉଛି। ଗାଡ଼ି ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ, ଟିକସ ପଇଠ ଆଦି ପାଇଁ ଦୈନିକ ହଜାର ହଜାର ଲୋକ ପରିବହନ କାର୍ଯ୍ୟାଳୟକୁ ଧାଉଁଥିବା ଦେଖାଯାଉଛି। ଏଥିରୁ ବାଦ୍‌ ପଡ଼ିନି ଅନୁଗୋଳଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଏଠାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। ହେଲେ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଦଲାଲ। କାମ କରାଇ ଦେବା ଆଳରେ ସେମାନେ ଦୈନିକ ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏପରି କି କିରାଣିଙ୍କ ଭଳି କାର୍ଯ୍ୟାଳୟର ବିଭିନ୍ନ ଫାଇଲରେ ସେମାନେ ହାତ ମାରୁଥିବା ଚର୍ଚ୍ଚା ହେଉଛି।
ଆଲୋଚନାରୁ ଜଣାପଡ଼ିଛି ଯେ, ପାଖାପାଖି ୮ ଜଣ ଦଲାଲ୍‌ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪/୫ ଜଣ ଚୌକି, ଟେବୁଲ ପକାଇ ବସି କିରାଣିଙ୍କ ଭଳି ଲୋକଙ୍କ ବିଭିନ୍ନ କାର୍ଯ୍ୟ କରିଦେବାକୁ କହି ଅର୍ଥ ଦାବି କରୁଛନ୍ତି। କାର୍ଯ୍ୟାଳୟରେ ୯ କିରାଣି ପଦବୀରୁ ୬ଟି ଖାଲି ପଡ଼ିଥିବାରୁ ଦଲାଲମାନେ ଶୀଘ୍ର କାର୍ଯ୍ୟ କରିଦେବାକୁ କହି ଲୋକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ଲାଇସେନ୍ସ, ଗାଡ଼ି ନମ୍ବର ପଞ୍ଜୀକରଣ, ଫିଟନେସ, ପସନ୍ଦର ନମ୍ବର ପ୍ଲେଟ, ଏନ୍‌ଓସି ଆଦି ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଅପେକ୍ଷା ପରିବର୍ତ୍ତେ କିଛି ହାତଗୁଞ୍ଜା ଦେଇ ଅନେକ ଲୋକ କାର୍ଯ୍ୟ କରିନେବାକୁ ଚାହୁଁଥିବାରୁ ଦଲାଲଙ୍କ ଭଲ ରୋଜଗାର ହେଉଛି। ପଡ଼ୋଶୀ ରାଜ୍ୟରୁ ଆସିଥିବା ଜଣେ ଟ୍ରକ୍‌ ଚାଳକ କହିଛନ୍ତି ଯେ, ଗାଡ଼ିର କାଗଜପତ୍ର ସବୁ ଠିକ୍‌ ଥିଲେ ମଧ୍ୟ ତାଙ୍କୁ ଦଲାଲମାନେ ଜରିମାନା ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ଏ ନେଇ ସେ ଅଭିଯୋଗ କରିବେ ବୋଲି କହିବାରୁ ସେମାନେ ଜୁଲମ କରି ନ ଥିଲେ। ତେବେ କର୍ମଚାରୀ ହୋଇ ନ ଥିଲେ ବି ଏମାନେ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ କିପରି କରାଇ ଦେଉଛନ୍ତି ଓ କିଏ ଏହି ଦଲାଲମାନଙ୍କୁ ପ୍ରଶ୍ରୟ ଦେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସମ୍ପର୍କରେ ଆରଟିଓ ଧନଞ୍ଜୟ ସେନାପତିଙ୍କ ମତାମତ ମିଳିପାରି ନାହିଁ। ତେବେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ପରିବହନ କାର୍ଯ୍ୟାଳୟରେ ଏଭଳି ଭାବେ କାର୍ଯ୍ୟ ହେବା କଥା ନୁହେଁ। ବିଭିନ୍ନ ସ୍ଥାନରେ ଦଲାଲ୍‌ଙ୍କ ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ଯଦି ସେପରି କିଛି ଘଟଣା ହେଉଥିବ, ଏ ନେଇ ଅଧିକାରୀଙ୍କୁ ତାଗିଦ୍‌ କରାଯିବ। ଦଲାଲମାନଙ୍କୁ କିଏ ଓ କାହିଁକି ପ୍ରଶ୍ରୟ ଦେଉଛି ତାହାର ଖୋଳତାଡ଼ କରାଯିବ ବୋଲି ଜିଲାପାଳ କହିଛନ୍ତି।