ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌। ଗୋଟିଏ ପ୍ଲେଟର ଦାମ୍‌ ୧୪୯ ଟଙ୍କା। ଏହାକୁ ଦୁଇ ଜଣ ଗ୍ରାହକ ଷ୍ଟାର୍ଟରରେ ଖାଇଥାନ୍ତି। ସମ୍ପ୍ରତି ଯୁବପିଢ଼ି ଓ ବୟସ୍କମାନଙ୍କ ନିରାମିଷ ଖାଦ୍ୟରୁଚିକୁ ଦୃଷ୍ଟିରେ ରଖି ପନିର ମାଜିଷ୍ଟିକ୍‌ ପ୍ରସ୍ତୁତ କରିଥାଉ ବୋଲି କହନ୍ତି ସେଫ୍‌ ସୁଜିତ ଦେହୁରୀ।

ଆବଶ୍ୟକ ସାମଗ୍ରୀ:

ପନିର: ୨୦୦ ଗ୍ରାମ
ରସୁଣ: ୧୦ ଗ୍ରାମ
ଅଦା: ୧୦ ଗ୍ରାମ
କାଜୁ: ୨୦ ଗ୍ରାମ
ଦହି: ୧ ଟେବୁଲ ଚାମଚ
କଞ୍ଚା ଲଙ୍କା: ୫ ଗ୍ରାମ
ଲାଲ ଲଙ୍କା: ୫ ଗ୍ରାମ
ପୋଦିନାପତ୍ର: ୫ ଗ୍ରାମ
ଗୋଲମରିଚ: ୫ ଗ୍ରାମ
ଟମାଟୋ ସସ୍‌: ୧ ଟେବୁଲ ଚାମଚ
ଚିଲି ସସ୍‌: ୧ ଟେବୁଲ ଚାମଚ୍‌
ମଇଦା: ୫୦ ଗ୍ରାମ
କନ୍‌ଫ୍ଲୋର: ୫୦ ଗ୍ରାମ
ପାଣି: ୧ କପ୍‌
କ୍ୟାପ୍‌ସିକମ୍‌: ୫ ଗ୍ରାମ
ଲୁଣ: ସ୍ବାଦ ଅନୁସାରେ
ଧନିଆପତ୍ର: ୫ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ: 

୨୦୦ ଗ୍ରାମ ପନିରକୁ ଫିଙ୍ଗର ସାଇଜରେ ୮ପିସ୍‌ କରି ଏକ ସ୍ବଚ୍ଛ ପାତ୍ରରେ ରଖନ୍ତୁ। ଅଳ୍ପ ପାଣିରେ ମଇଦା, କନ୍‌ଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ ମିଶାଇ ପନିରକୁ ସେଥିରେ ଗୋଳାନ୍ତୁ। ପରେ ଏହାକୁ ଗରମ ତେଲରେ ଛାଣି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଅଳ୍ପ ଆଞ୍ଚରେ ଫ୍ରାଏପ୍ୟାନ୍‌ ରଖି ଏକ ଚା ଚାମଚ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଟା ଲାଲ୍‌ଲଙ୍କା, ରସୁଣ, ଅଦା ଓ କ୍ୟାପ୍‌ସିକମ୍‌ ଦେଇ କିଛି ସମୟ ଭାଜନ୍ତୁ। ସେଥିରେ ଗୋଟା କାଜୁ, ପୋଦିନାପତ୍ର ଓ ଦହି, ଟମାଟୋ ସସ୍‌, ଚିଲି ସସ୍‌, ଲୁଣ, ଗୋଲମରିଚ ପକାଇ ଭାଜିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିର ଦେଇ ଧନିଆପତ୍ର ପକାନ୍ତୁ। ୨ ମିନିଟ ପରେ ପ୍ରସ୍ତୁତ ହୋଇଯାଏ ପନିର ମାଜିଷ୍ଟିକ୍‌। ସୁସଜ୍ଜିତ ପାତ୍ରରେ ଏହାକୁ ପରଷି ଦିଅନ୍ତୁ।