ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ବାରିପଦା ଅଫିସ, ୭ା୫- ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ବାରିପଦା ନିକଟସ୍ଥ ସୋଡ଼ଇମଠାରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲା ସଭାପତି ମୁକେଶ ମାରାଣ୍ଡିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗଦେଇ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମାର୍ସା ଆର୍ମୀ ପକ୍ଷରୁ ବିଭିନ୍ନ ଦାବି ଉପରେ ଆଲୋକପାତ କରାଯାଇଥିଲା। ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା ଦେବା ସହିତ ଓଡ଼ିଶାରେ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ପିଜି, ଏମଫିଲ୍‌, ପିଏଚଡ଼ି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଖୋଲିବା, ସାନ୍ତାଳୀ ଭାଷାରେ ସିଟି ପାସ୍‌ କରିଥିବା ଛାତ୍ରୀଛାତ୍ରମାନଙ୍କୁ ତୁରନ୍ତ ସାନ୍ତାଳୀ ଭାଷା ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିବା, ସାନ୍ତାଳୀ ମୋବିଲାଇଜରରେ ଶିକ୍ଷକମାନଙ୍କୁ ସ୍ଥାୟୀ କରିବା, ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା, ମୟୂରଭଞ୍ଜ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ସହିତ ସାନ୍ତାଳୀ ଭାଷାରେ ମଧ୍ୟ ଲେଖାଯିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ମଦନ ହାଁସଦା, ଜିଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ଲାଙ୍ଗ ହାଁସଦା, ହରିଶ ମୁର୍ମୁ, ସୁନିଲ ସୋରେନ, ସୁବାଷ ସିଂ, ସମା ସିଂ ପ୍ରମୁଖ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜିଳି ଜ୍ଞାପନ କରିଥିଲେ।