ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ତଳ ମୁଣ୍ଡରେ ଥିବା ରବି ମହାନ୍ତ, ନିର୍ମଳ ମହାନ୍ତ, କୀର୍ତ୍ତନ ମହାନ୍ତ, ସୀତା ସୋରେନଙ୍କ ବ୍ୟାପକ ଚାଷ ଜମି ନଷ୍ଟ ହେବା ନେଇ ତହସିଲ ଅଫିସରେ ଅଭିଯୋଗ ହୋଇଛି । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ପୁରୁଜୋଡା, ରାଇସୁଆଁ ଓ ବିମଳା ପଞ୍ଚାୟତ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ଉକ୍ତ ପୋଲ ୬ ମାସ ପୂର୍ବରୁ ଏମଜିଏନଆରିଜିଏସ ଯୋଜନାରେ ନିର୍ମାଣ କରାଯାଇଥିଲା। ଏତେ କମ୍‌ ଦିନରେ ପୋଲଟି ଭୁଶୁଡ଼ି ପଡ଼ିବାରୁ ଏହାର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ପୋଲ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।