ପଞ୍ଚାୟତ ନୂତନ କୋଠା ଉଦ୍‌ଘାଟନ କଲେ ବିଧାୟକ

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମଧ୍ୟସ୍ଥ ଲୁହାଗୁଡି ପଞ୍ଚାୟତର ନୂତନ କୋଠାକୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ସରପଞ୍ଚ ଲକ୍ଷ୍ମୀ ଶବର, ସମିତିସଭ୍ୟ ଉମାକାନ୍ତ ଦଲେଇ, ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନୀ, ନାଏବ ସରପଞ୍ଚ ଷଣ୍ଢ ଶବର, ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧୁ ପାଲାକି, କନିଷ୍ଠ ଯନ୍ତ୍ରୀ ଦମୟନ୍ତୀ ମୁର୍ମୁ, ଯୋଗାଣ ସହାୟକ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୪ ଜଣଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିଲା। ସେଥିରୁ ୪୭ ଜଣ ବାସଗୃହ ନିର୍ମାଣ କରି ବସବାସ କରୁଥିବାରୁ ସେମାନଙ୍କୁ ମାନ୍ୟବର ବିଧାୟକ କମ୍ବଳ ପ୍ରଦାନ କରିଥିଲେ। ଯେଉଁମାନେ ଶୀଘ୍ର କାମ ସାରିବେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ। ଏଥିରେ ଗ୍ରାମବାସୀ ସହଯୋଗ ଓ ପରିଚାଳନା କରିଥିଲେ।