ପଞ୍ଚାୟତିରାଜ ଦିବସରେ ସ୍ବାମିତ୍ୱ ଯୋଜନା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୨୪।୪: ରଷ୍ଟ୍ରୀୟ ପଞ୍ଚାୟତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଞ୍ଚାୟତର ମୁଖ୍ୟଙ୍କୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କିଭଳି ବ୍ୟବସ୍ଥା ରହିଛି ଏବଂ ସ୍ଥିତି କ’ଣ ରହିଛି ସେନେଇ ସରପଞ୍ଚଙ୍କ ସହ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ବଡ଼ ପ୍ରୋଜେକ୍ଟ ଇ-ଗ୍ରାମ ସ୍ବରାଜ ଆପ୍‌ ଓ ସ୍ବାମିତ୍ୱ ଯୋଜନା ଲଞ୍ଚ କରିଛନ୍ତି। ଏହା ଜରିଆରେ ଗ୍ରାମ ପଞ୍ଚାୟତର ସମସ୍ୟା, ସେମାନଙ୍କ ସହ ଜଡିତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ। ଏଥିସହ ଆରମ୍ଭ ହୋଇଥିବା ୱେବସାଇଟ ମାଧ୍ୟମରେ ସୂଚନା ପହଞ୍ଚିବା ଏବଂ ଗାଁକୁ ସାହାଯ୍ୟ କରିବା ତ୍ୱରାନ୍ବିତ ହୋଇପାରିବ। ତେବେ କରୋନା ସଙ୍କଟରୁ ଆମକୁ ଏକ ଶିକ୍ଷା ମିଳିଛି। ବର୍ତ୍ତମାନ ସମୟରେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ ବୋଲି ମୋଦି କହିଛନ୍ତି। କାରଣ ଗାଁ ଆତ୍ମନିର୍ଭରଶୀଳ ହେଲେ ପଞ୍ଚାୟତ ଆତ୍ମନିର୍ଭରଶୀଳ ହେବ। ଏଥିଯୋଗୁ ଜିଲା, ରାଜ୍ୟ ଓ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ନିଜ ଅଭିଭାଷଣରେ ମୋଦି କହିଛନ୍ତି। ଅପରପକ୍ଷେ ଗ୍ରାମବାସୀ କରୋନା ସଙ୍କଟ ମଧ୍ୟରେ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ସାମାଜିକ ଦୂରତା ନୁହେଁ ବରଂ ୨ ଗଜର ଦୂରତାର ଏକ ବାର୍ତ୍ତା ଦେଇଛନ୍ତି ଗ୍ରାମବାସୀ। ଯାହା ଆଶ୍ଚର୍ଯ୍ୟଜନକ ଥିଲା ବୋଲି ମୋଦି କହିଛନ୍ତି। ସେହିପରି ୫-୬ ବର୍ଷ ପୂର୍ବେ ଦେଶର ୧୦୦ଟି ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହି ଜଡିତ ହୋଇଥିଲା। କିନ୍ତୁ ଆଜି ଏହି ସୁବିଧା ପ୍ରାୟ ୧.୨୫ ଲକ୍ଷ ପଞ୍ଚାୟତରେ ପହଞ୍ଚିପାରିଛି। ବର୍ତ୍ତମାନ ଡ୍ରୋନ ମାଧ୍ୟମରେ ଗାଁର ମ୍ୟାପିଂ କରାଯିବ, ବ୍ୟାଙ୍କରୁ ଅନ୍‌ଲାଇନ ଲୋନ ନେବା ମଧ୍ୟ ସାହାଯ୍ୟ ହେବା ବୋଲି ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ କହିଛନ୍ତି। ପ୍ରଥମେ ଏହା ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟରେ ଆରମ୍ଭ ହେଉଛି। ଏହାପରେ ଏହାକୁ ପ୍ରତ୍ୟେକ ଗ୍ରାମରେ ସାମିଲ କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି।

Share