ପଞ୍ଚାୟତସ୍ତରରୁ କାର୍ଯ୍ୟକରିବ ନିୟନ୍ତ୍ରଣ କକ୍ଷ

ଢେଙ୍କାନାଳ ଅଫିସ, ୧।୩ – ଚଳିତବର୍ଷ ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ ପ୍ରବାହ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯିବା ପରେ ତାତିର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ବ୍ୟାପକ ଯୋଜନା କରାଯାଇଥିବାବେଳେ ପଞ୍ଚାୟତସ୍ତରରୁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ ବୋଲି ଶନିବାର ଅନୁଷ୍ଠିତ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ଏହି ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ମାର୍ଚ୍ଚ ୧୫ରୁ ଖରା ପ୍ରକୋପ ବଢ଼ିବ। ଏହାର ମୁକାବିଲା ଲାଗି ସମସ୍ତେ ଯତ୍ନବାନ ହେବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏହି ଉପଲକ୍ଷେ ଜିଲା ବିପର୍ଯ୍ୟୟ ପରିଚାଳନା ବାର୍ଷିକ ଯୋଜନା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରାକୃତିକ ଦୁର୍ବିପାକର କିପରି ସଫଳ ମୁକାବିଲା କରିହେବ ସେ ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ ରହିଛି। ଖରାଦିନେ ଜଳକଷ୍ଟରୁ ମୁକୁଳିବାକୁ ପାଣି ସଞ୍ଚୟ ଉପରେ ଗୁରୁତ୍ୱ ଦେବା, ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମାଣରେ ଓଆରଏସ୍‌ ମହଜୁଦ ରଖିବା, ସରକାରୀ ଚିକିତ୍ସାଳୟ ୨୪ ଘଣ୍ଟା ଖୋଲା ରଖିବା, ଗୃହପାଳିତ ପ୍ରାଣୀଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବା, ଜଙ୍ଗଲକୁ ନିଅଁ।ଦାଉରୁ ରକ୍ଷା କରିବାକୁ ଅଗ୍ନିଶମ ବିଭାଗକୁ ସଜାଗ ରହିବା, ପଞ୍ଚାୟତସ୍ତରରୁ ଜିଲା ଯାଏ ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ଏହାକୁ ଠିକ୍‌ ଭାବେ କାର୍ଯ୍ୟକ୍ଷମ କରାଇବା, ବସ୍‌ରେ ଆବଶ୍ୟକ ପିଇବା ପାଣି ସହ ବ୍ୟବସ୍ଥା, ଆଶୁ ଚିକିତ୍ସା ବାକ୍ସ ରଖିବା ଆଦି ବିଷୟରେ ଆଲୋଚନା କରାଯାଇଛି। ଏ ସବୁକୁ ନିରୀକ୍ଷଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଅଧିକ ବିଦ୍ୟୁତ୍‌ କାଟ ନ କରିବା ଲାଗି ସେସୁ କର୍ତ୍ତୃପକ୍ଷ ଏବଂ ଦେବଦେବୀ ପୀଠ ସହିତ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଲାଗି ପାନୀୟଜଳ ବ୍ୟବସ୍ଥା କରିବାକୁ ଦେବୋତ୍ତର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସାପ କାମୁଡା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଅତିରିକ୍ତ ଜିଲାପାଳ ଭବେଶ ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟ ମହାପାତ୍ର, ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ପ୍ରୋଗ୍ରାମ ଅଫିସର ନିମାଇଁ ଚରଣ ଦାସ ଧନ୍ୟବାଦ ଦେଇଥିଲେ।