ପଞ୍ଚସଖା ସ୍ମୃତି ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବନବିଦ୍ୟାଳୟ ବିନ୍ଧାଣୀ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ସମାଧି ପୀଠ ଅବହେଳିତ ଅବସ୍ଥାରେ ରହିଛି। ବକୁଳବନ ସନ୍ନିକଟ ପଞ୍ଚସଖା ଖେଳପଡିଆକୁ ଲାଗିରହିଥିବା ଏହି ପୀଠ ମଧ୍ୟରେ ଓଡିଆ ଜାତିର ଜନ ନାୟକ ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେହି ଶ୍ମଶାନରେ ମହାପୁରୁଷଙ୍କର ସମାଧି ପୀଠ ନିର୍ମାଣ କରାଯାଇ ଏହାକୁ ସ୍ମୃତି ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଥିଲା। ସାତଟିସମାଧି ମନ୍ଦିରରେ ମାର୍ବଲ ଓ ଗ୍ରାନାଇଟ ପଥର ଖଞ୍ଜିବା, ଫୁଟପାଥ, ଚଟାଣ, ଆଲୋକୀ୍‌କରଣ, ଫୁଲ ବଗିଚା ଓ ତୋରଣ ନିର୍ମାଣ କରାଯାଇଥିଲା। ଏହା ସାଧାରଣ ଦର୍ଶକମାନଙ୍କ ମନକୁ ଛୁଇଁଥିଲା। ପୂର୍ବରୁ ସେଠାରେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥାନୀୟ ବ୍ୟକ୍ତିମାନେ ଅବସର ସମୟ କଟାଇବା ସହିତ ସେମାନଙ୍କର ଅତିଥି ମାନଙ୍କୁ ଏହି ପୁଣ୍ୟପୀଠ ବୁଲାଉଥିଲେ। ଏପରି କି ଏହାର ସାଜସଜ୍ଜା ପ୍ରତି ଆକୃଷ୍ଟ ହୋଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ମାନେ ଏଠାରେ ଶୁଟିଂ କରୁଥିବା ଦେଖାଯାଇଥିଲା। ପୂଜ୍ୟପୂଜା ହେଉ ଅବା ବିଭିନ୍ନ ସଭା ସମିତି ସମୟରେ ଏହି ସମାଧି ପୀଠରେ ଫୁଲମାଳ ଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବେବି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ଉପଯୁକ୍ତ ରକ୍ଷଣା ବେକ୍ଷଣ ବିନା ଏହି ପୀଠର ଉନ୍ନୟନ ଉଜୁଡିଯାଇଛି। ବାତ୍ୟାରେ ପଛପାର୍ଶ୍ୱ ପ୍ରାଚୀର ଭାଙ୍ଗିଯାଇଛି। ମୁଖ୍ୟ ଫାଟକ ଉନ୍ମୁକ୍ତ ରହିଛି। ଜଗୁଆଳି ବ୍ୟବସ୍ଥା ନାହିଁ। ଅନ୍ଧାର ଓ ନିଛାଟିଆର ସୁଯୋଗ ନେଇ ସେଠାରେ ନିଶାଖୋର ଓ ଅସାମାଜିକ ବ୍ୟକ୍ତି ମାନେ ଆଡ୍ଡା ଜମାଉ ଥିବାରୁ ସାଧାରଣ ଲୋକେ ଏହିପୀଠରୁ ମୁହଁ ଫେରାଇ ନେଉଛନ୍ତି।