ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ ଏବେ ପଙ୍ଗପାଳ ଆଗମନ ଖବର ତାଙ୍କ ପାଇଁ ଚିନ୍ତା ଆଖିରୁ ନିଦ ହଜାଇଦେଇଛି।  କ୍ଷେତରେ ହେକ୍ଟର ହେକ୍ଟର ବାଇଗଣ, ବିଲାତି ଆଦି ପନିପରିବା ଚାଷ ହୋଇଥିବା ବେଳେ କୋଉ ମୁହୂର୍ତ୍ତରେ ପଙ୍ଗପାଳ ଆକ୍ରମଣ କରିବ ସେ ନେଇ ସେମାନଙ୍କ ପରିବାରରେ ଭାଳେଣି ପଡିଯାଇଛି। ରାଜ୍ୟର ନିଅଣ୍ଟିଆ ପରିବା ଯୋଗାଣକୁ ଭରଣ କରିବାରେ କେନ୍ଦୁଝର ଜିଲାର ଚାଷୀ ଓ ଉତ୍ପାଦିତ ସାମଗ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଲକ୍‌ ଡାଉନ, ଅମ୍ପନ ଭଳି ବିପର୍ଯ୍ୟୟ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗତ ଦୁଇମାସ ଭିତରେ ଦୁଇ ଦୁଇଟି ବିପର୍ଯ୍ୟୟ ରୁ ଚାଷୀମାନେ ନିସ୍ତାର ପାଇ ନ ଥିବା ବେଳେ ଏବେ ପଙ୍ଗପାଳ ଆଗମନ ଚାଷୀ ମୁଣ୍ଡରେ ଚଡକ ପଡିବା ସଦୃଶ ହୋଇଛି।  ତେଣୁ କ୍ଷେତରେ ପରିବା ଗୁଡିକ ସୁରକ୍ଷିତ ରଖିବା ପାଇଁ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି।  କିଏ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଉଛିତ ଆଉ କିଏ ଅଭିଜ୍ଞ ଚାଷୀମାନଙ୍କର ପରାମର୍ଶ ନେଇ ପରିବା କ୍ଷେତକୁ ବିଶୋଧନ କରିବାର ଦେଖିବାକୁ ମିଳିଛି। ତେବେ ଏଇ ପଙ୍ଗପାଳ ଭୟରେ ଅନେକ ପରିବା ଚାଷୀ ଚିନ୍ତିତ ହୋଇପଡିଛନ୍ତି। ତେବେ ଏହି ପଙ୍ଗପାଳର ନିରାକରଣ ପାଇଁ କୃଷିବିଭାଗ ଏବେଠାରୁ ପଦକ୍ଷେପ ନେଇ ଚାଷୀକୂଳରେ ସଚେତନତା କରା ନ ଗଲେ ଆଗାମୀଦିନରେ ବ୍ୟାପକ ଚାଷ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଚାଷୀକୂଳ ପ୍ରକାଶ କରିଛନ୍ତି।