ନୟାଗଡ଼ ଜିଲାକୁ ଟ୍ରେନ୍‌ ଗଡ଼ିବାରେ ଦୁଇବର୍ଷ ପୂରିଲା: ୨ରେ ସୀମିତ, ସ୍ପେଶାଲ ଟ୍ରେନ୍‌ ପାଲଟିଛି ସ୍ବପ୍ନ

ନୟାଗଡ଼ ଅଫିସ,୧୯।୬-୧୯ ଜୁନ୍‌ ୨୦୧୭ । ଏହି ଦିନ ନୟାଗଡ଼ ଜିଲାବାସୀଙ୍କ ପାଇଁ ଖୁସିର ଦିନ ଥିଲା। ଉକ୍ତ ଦିନ ରେଳ ମାନଚିତ୍ରରେ ନୟାଗଡ଼ ଜିଲା ସାମିଲ ହୋଇଥିଲା। ବୁଧବାର ଜିଲାକୁ ଟ୍ରେନ୍‌ ଗଡ଼ିବାର ଦୁଇ ବର୍ଷ ବିତିବ। ହେଲେ ପୂର୍ବରୁ ଯେଉଁ ଦୁଇଟି ଟ୍ରେନ୍‌ ଚଳାଚଳ ହେଉଥିଲା ୨ବର୍ଷରେ ମଧ୍ୟ ସେହି ୨ଟିରେ ସୀମିତ ରହିଛି। ସ୍ପେଶାଲ ଟ୍ରେନ୍‌ ଜିଲାବାସୀଙ୍କ ସ୍ବପ୍ନ ପାଲଟିଛି। ଦୁଇଟି ଟ୍ରେନ୍‌ ନୟାଗଡ଼ ଷ୍ଟେଶନରୁ ଯାଉଥିବା ବେଳେ ଦୁଇଟି ଟ୍ରେନ୍‌ ଆସୁଛି। ବର୍ତ୍ତମାନ ସୁଦ୍ଧା ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ ହୋଇ ପାରିନାହିଁ। ଜିଲାର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯିବା ପରେ ୨୦୧୮ ଜୁଲାଇ ୩ ତାରିଖରେ ନୟାଗଡ଼ ଟାଉନ ଷ୍ଟେଶନରୁ ଖଡ଼ଗପୁରକୁ ସ୍ପେଶାଲ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିଥିଲା। ହେଲେ ୩ ମାସ ଚାଲିବା ପରେ ଏହି ଟ୍ରେନ୍‌ଟିକୁ ବାତିଲ କରାଯାଇଥିଲା। ପୂର୍ବରୁ ଯେଉଁଭଳି ଭାବେ ଦୁଇଟି ଟ୍ରେନ୍‌ ଯାଉଥିଲା ସେହିଭଳି ଦୁଇଟି ଟ୍ର୍ରେନ୍‌ ନୟାଗଡ଼ ଟାଉନ ଷ୍ଟେଶନରୁ ଯାଉଛି। ଗୋଟିଏ ସକାଳ ୫ଟା ଓ ଅନ୍ୟଟି ସକାଳ ୯ଟା ୨୦ରେ ଉଭୟ ପାସେଞ୍ଜର ଟ୍ରେନ୍‌ ପୁରୀକୁ ଯାଉଛି। ସିଧାସଳଖ ଭୁବନେଶ୍ୱରକୁ ଟ୍ରେନ୍‌ ଚଳାଚଳ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ବିଭିନ୍ନ ପର୍ବପର୍ବାଣି ସମୟରେ ଲୋକଙ୍କ ଗହଳି ହେଉଥିବାରୁ ଏକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବା ପାଇଁ ଦାବି ହେଉଛି। ପାରାଦୀପକୁ ଏକ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିବା ପାଇଁ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଟ୍ରେନ୍‌ ଲାଇନ୍‌ ବିଦ୍ୟୁତୀକରଣ ହୋଇ ପାରି ନ ଥିବା ଯୋଗୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ ହୋଇପାରୁ ନ ଥିବା ସୂଚନା ମିଳିଛି।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଇତିହାସ
ଦୀର୍ଘ ୭୪ ବର୍ଷ ପୂର୍ବେ ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଏହି ୬ ଜିଲାକୁ ରେଳପଥ ସଂଯୋଗ କରାଯିବାକୁ ପରିକଳ୍ପନା କରାଯାଇଥିଲା। ୧୯୪୫ ମସିହାରେ ବେଙ୍ଗଲ ନାଗପୁର ରେଳପଥ ପକ୍ଷରୁ ରେଲୱେ ଏଣ୍ଡ ରାଇଟର୍ସ କମ୍ପାନୀ ସର୍ଭେ କରିଥିଲେ ହେଁ ରେଳପଥ ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବ ହୋଇଥିଲା। ୧୯୯୩ ମସିହାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା। ଖୋର୍ଦ୍ଧାରୁ ଖୋର୍ଦ୍ଧା ରୋଡ଼, ବେଗୁନିଆ, ରାଜସୁନାଖଳା ପର୍ଯ୍ୟନ୍ତ ଚାଲିଥିଲା। ୨୦ ମାର୍ଚ୍ଚ ୨୦୧୭ରେ ରାଜସୁନାଖଳାଠାରୁ ବୋଲଗଡ଼ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଯାତାୟାତ ଆରମ୍ଭ କରିଥିଲା। ୧୧ ମେ ୨୦୧୭ରେ ନୟାଗଡ଼ ଟାଉନ ଷ୍ଟେଶନକୁ ପରୀକ୍ଷାମୂଳକଭାବେ ରେଳ ଇଞ୍ଜିନ ଗଡ଼ିଥିବାବେଳେ ଜୁନ୍‌ ୬ ତାରିଖରେ ନୟାଗଡ଼ ଟାଉନରୁ ବୋଲଗଡ଼ ରୋଡ଼ ଷ୍ଟେଶନ୍‌କୁ ୧୧୦ ସ୍ପିଡ଼୍‌ କିଲୋମିଟରରେ ୧୨ ବଗି ବିଶିଷ୍ଟ ପାସେଞ୍ଜର ଟ୍ରେନର ଟ୍ରାଏଲ ରନ୍‌ ହୋଇଥିଲା। ପରେ ଜୁନ୍‌ ୧୯ରେ ନୟାଗଡ଼କୁ ଟ୍ରେନ୍‌ ଚଳାଚଳ ହୋଇଥିଲା।
ଦୁଇ ବର୍ଷରେ ଭଡ଼ା ବାବଦକୁ ଆଦାୟ ହୋଇଛି ୩୪ ଲକ୍ଷ ୭୯ ହଜାର
ଦୁଇ ବର୍ଷରେ (ଚଳିତ ମାସ ଜୁନ୍‌ ୧୭ ତାରିଖ ସୁଦ୍ଧା ) ୧ ଲକ୍ଷ ୩୭ ହଜାର ୧୩୨ ଜଣ ଯାତ୍ରୀ ନୟାଗଡ଼ରୁ ଯାତ୍ରା କରିଥିବା ବେଳେ ସେମାନଙ୍କଠାରୁ ୩୪ ଲକ୍ଷ ୭୯ ହଜାର ୯୨୭ ଟଙ୍କା ଭଡ଼ା ବାବଦକୁ ଆଦାୟ କରାଯାଇଥିବା ନୟାଗଡ଼ ଟାଉନ ଷ୍ଟେଶନ ମାଷ୍ଟର ଶାନ୍ତନୁ କୁମାର ଦାଶ ସୂଚନା ଦେଇଛନ୍ତି। ୨୦୧୭ ଜୁନ୍‌ଠାରୁ ୨୦୧୮ ମେ ମାସ ପର୍ଯ୍ୟନ୍ତ ୫୯,୯୪୨ ଜଣ ଯାତ୍ରୀ ଯାଇଥିବା ବେଳେ ସେମାନଙ୍କଠାରୁ ୧୫ ଲକ୍ଷ ୨୩ ହଜାର ୪୫୨ ଟଙ୍କା ଆଦାୟ କରାଯାଇଛି। ସେହିଭଳି ୨୦୧୮ ଜୁନ୍‌ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୭,୧୯୦ ଜଣ ଯାତ୍ରୀ ଯାଇଥିବା ବେଳେ ସେମାନଙ୍କଠାରୁ ୧୯ ଲକ୍ଷ ୫୬ ହଜାର ୪୭୫ ଟଙ୍କା ଭଡ଼ା ବାବଦକୁ ଆଦାୟ କରାଯାଇଛି। ବର୍ଷକୁ ଯାତ୍ରୀ ଓ ଭଡ଼ା ପରିମାଣ ବଢ଼ୁଥିଲେ ମଧ୍ୟ ସ୍ପେଶାଲ ଟ୍ରେନ୍‌ ଚଳାଚଳ ନ କରିବା ଜିଲାବାସୀଙ୍କ ପ୍ରତି ଅନ୍ୟାୟ ବୋଲି କେତେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
୨ ବର୍ଷରେ ହୋଇପାରିଲାନି ଗୋଟିଏ ଷ୍ଟେଶନ- ରେଳ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ୭ଟି ଷ୍ଟେଶନ ହେବ। ରାଜସୁନାଖଳା ଓ ନୟାଗଡ଼ ଟାଉନଠାରେ ଷ୍ଟେଶନ ହୋଇଥିବା ବେଳେ ଆହୁରି ୫ଟି ଷ୍ଟେଶନ କରାଯିବ। ନୟାଗଡ଼ ଟାଉନ ଷ୍ଟେଶନ ପରେ ଦୁଇ ବର୍ଷ ହେଲାଣି ଗୋଟିଏ ବି ଷ୍ଟେଶନ କାର୍ଯ୍ୟ ଆଗେଇ ପାରିନାହିଁ। ନୟାଗଡ଼ ଟାଉନ ଷ୍ଟେଶନର ୧୧ କିଲୋମିଟର ପରେ ମହିପୁର ଷ୍ଟେଶନ ପଡ଼ୁଥିବା ବେଳେ ଏ ପର୍ଯ୍ୟନ୍ତ ମହିପୁର ଷ୍ଟେଶନର କାର୍ଯ୍ୟ ହୋଇପାରିନାହିଁ। ଏହା ପରେ ନୂଆଗାଁ, ଦଶପଲ୍ଲା, ବୁଗୁଡ଼ା ଓ ବାଣୀଗୋଛାଠାରେ ଷ୍ଟେଶନ ହେବ। ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ମନ୍ଥର ଗତିରେ କାମ ଚାଲୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ନୟାଗଡ଼-ଖଣ୍ଡପଡ଼ା ରୋଡ଼ର ଲକ୍ଷ୍ମୀପ୍ରସାଦଠାରେ ହେବାକୁ ଥିବା ଓଭରବ୍ରିଜ୍‌ କାର୍ଯ୍ୟ ନିର୍ମାଣାଧୀନ ରହିଛି।
ପାସେଞ୍ଜର ହଲ୍‌ଟ ନିର୍ମାଣ ଦାବି ଜୋର ଧରୁଛି- ନୟାଗଡ଼ ଷ୍ଟେଶନ ପୂର୍ବରୁ ଚମ୍ପତିପୁର ଓ ବାଉଁଶିଆପଡ଼ାଠାରେ ପାସେଞ୍ଜର ହଲ୍‌ଟ (ପିଏଚ୍‌) ନିର୍ମାଣ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସିଠାରେ ପିଏଚ୍‌ କାର୍ଯ୍ୟର ଅଗ୍ରଗତି ହୋଇପାରିନାହିଁ। ଚମ୍ପତିପୁରଠାରେ ପିଏଚ୍‌ ନର୍ମାଣ ହେବା ପାଇଁ ବାଲୁଙ୍କେଶ୍ୱର ରେଲେୱ ସଂଗ୍ରାମ ସମିତି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଜାରି ରହିଛି। କେତେବେଳେ ରାସ୍ତାରୋକୋ, ରେଳରୋକୋ ଭଳି କାର୍ଯ୍ୟକ୍ରମ ଜାରି ରହିଛି। ଦୁଇ ଦିନ ତଳେ ସମିତିର ସଦସ୍ୟମାନେ ନୂତନ ଡିଆରଏମ୍‌ (ଡିଭିଜନାଲ୍‌ ରେଲୱେ ମ୍ୟାନେଜର)ଙ୍କୁ ଭେଟି ପିଏଚ୍‌ ନିର୍ମାଣ ଦାବିକୁ ଦୋହରାଇଥିଲେ।

୯୯ଗ୍ରାମରୁ ୬୮ ଗ୍ରାମର ୧୦୧୧ ଏକର ଜମି ହୋଇଛି ଅଧିଗ୍ରହଣ
ଖୋର୍ଦ୍ଧାରୁ ବଲାଙ୍ଗୀର ପର୍ଯ୍ୟନ୍ତ ୨୮୯ କିଲୋମିଟର ବ୍ୟାପୀ ଏହି ରେଳପଥ ନୟାଗଡ଼ ଜିଲାରେ ୯୩ କିଲୋମିଟର ମଧ୍ୟରେ ରହିଛି। ଏହି ୯୩ କିଲୋମିଟରରେ ଜିଲାର ୯୯ ଗ୍ରାମର ୧୩୯୩.୨୬୦ ଏକର ଜମି ଅଧିଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୮ ଗ୍ରାମର ୧୦୧୧.୬୨୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ନୟାଗଡ଼ ଜିଲା ସ୍ବତନ୍ତ୍ର ଭୂଅର୍ଜନ ମଣ୍ଡଳ ଅଧିକାରୀ ଦେବେଶ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ଅବଶିଷ୍ଟ ୩୧ ଗ୍ରାମର ୩୮୧.୬୪୦ ଏକର ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ଚାଲୁୁରହିଛି।
ପ୍ରତିବର୍ଷ କେନ୍ଦ୍ର ସରକାର ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ମୋଟା ଅଙ୍କର ଅର୍ଥ ରାଶି ମଞ୍ଜୁର କରୁଥିଲେ ମଧ୍ୟ କାହିଁକି ରେଳ କାର୍ଯ୍ୟ ଆଗେଇପାରୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲାରେ ହେବାକୁ ଥିବା ଷ୍ଟେଶନଗୁଡ଼ିକର କାର୍ଯ୍ୟ ସାରି ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ଓ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବା ପ୍ରତି ରେଳ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଫଟୋ କ୍ୟାପସନ୍‌- ନୟାଗଡ଼ ଟାଉନ ଷ୍ଟେଶନ
୨- ଟାଉନ ଷ୍ଟେଶନଠାରେ କାର୍ଯ୍ୟ ଚାଲୁଛି


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri