Categories: ଜାତୀୟ

ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲା: ଭୋରା, ହୁଡାଙ୍କ ବିରୋଧରେ ଚାର୍ଜଶିଟ୍‌

ପଞ୍ଚକୁଲା,୨୭ା୮(ଆଇଏଏନ୍‌ଏସ୍‌): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏବଂ କଂଗ୍ରେସ ମାଲିକାନାରେ ଥିବା ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍‌) ବିରୋଧରେ ସୋମବାର ଚାର୍ଜଶିଟ୍‌ ଦାଖଲ କରିଛି। ଗାନ୍ଧୀ ପରିବାର ଓ ବରିଷ୍ଠ କଂଗ୍ରେସ ନେତାମାନଙ୍କ ନିୟନ୍ତ୍ରଣରେ ଥିବା ଏଜେଏଲ୍‌ ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା। ଅଭିଯୁକ୍ତମାନେ ୬୪.୯ କୋଟି ଟଙ୍କାର ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଇଡି କହିଛି। ପଞ୍ଚକୁଲାର ସେକ୍ଟର ୬ ସ୍ଥିତ ପ୍ଲଟ୍‌ ନଂ. ସି-୧୭ରେ ଥିବା ଜମି ୧୯୮୨ରେ ଏଜେଏଲ୍‌କୁ ପ୍ରଦାନ କରାଯାଇଥିଲା। ତେବେ ଆଲଟମେଣ୍ଟ ଚୁକ୍ତିର ସର୍ତ୍ତ ପୂରଣ ନ କରିବାରୁ ୧୯୯୨ ଅକ୍ଟୋବର ୩୦ରେ ଉକ୍ତ ସମ୍ପତ୍ତିକୁ ହରିୟାଣାର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ହୁଡା)ର ଇଷ୍ଟେଟ୍‌ ଅଫିସର ଏହାକୁ ପୁନର୍ବାର ଦଖଲକୁ ନେଇଥିଲେ। ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହୁଡା କ୍ଷମତାର ଅପବ୍ୟବହାର କରି ଉକ୍ତ ପ୍ଲଟକୁ ପୁନର୍ବାର ଏଜେଏଲ୍‌କୁ ମଞ୍ଜୁର କରିଥିଲେ, ଯେଉଁଥିରେ ଜମି ଅଧିଗ୍ରହଣ ସର୍ତ୍ତାବଳୀର ଉଲ୍ଲଂଘନ ହୋଇଥିଲା ବୋଲି ଇଡି ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଉକ୍ତ ପ୍ଲଟରେ ଗୃହ ନିର୍ମାଣ ପାଇଁ ହୁଡା ସମୟସୀମାକୁ ୩ ଥର ବଢ଼ାଇଥିଲେ। ଫଳରେ ୨୦୧୪ରେ ଏଜେଏଲ୍‌ ନିର୍ମାଣ କାର୍ଯ୍ୟ ଶେଷ କରିିଥିଲା। ହରିୟାଣାର ଭାଜପା ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏତଲା ଆଧାରରେ ଇଡି ୨୦୧୬ରେ ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଥିଲା। ଗତବର୍ଷ ଡିସେମ୍ବରରେ ସିବିଆଇ ପଞ୍ଚକୁଲା କୋର୍ଟରେ ଭୋରା ଓ ହୁଡାଙ୍କ ନାମରେ ଅନିୟମିତତା ଅଭିଯୋଗରେ ଚାର୍ଜଶିଟ୍‌ ଦାଖଲ କରିଥିଲା।

Share