Categories: ଜାତୀୟ

ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ୧୦୨ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାକୁ ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକଚର ପାଇପଲାଇନ(ଏନ୍‌ଆଇପି) ଅଧୀନରେ ଆରମ୍ଭ କରାଯାଇଛି। ୨୦୨୫ ସୁଦ୍ଧା ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ରୂପାନ୍ତରିତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟତା କରିବ ବୋଲି ସୀତାରାମନ ଏହି ଅବସରରେ ସୂଚନା ଦେଇଛନ୍ତି।
ସୀତାରାମନ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡିକୁ ଆଗାମୀ ୫ ବର୍ଷରେ କାର୍ଯ୍ୟାନ୍ବୟନ କରାଯିବ। ଭିତ୍ତିଭୂମି କ୍ଷେତ୍ରକୁ ଅଗ୍ରାଧିକାର ସ୍ବରୂପ କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ନିବେଶ ନେଇ କହିଥିଲେ। ଏହା ପରେ ଏଥିଲାଗି ଗଠିତ ଟାସ୍କଫୋର୍ସ ୧୦୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା। ୪ ମାସ ମଧ୍ୟରେ ୭୦ ଅଂଶୀଦାରଙ୍କଠାରୁ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଗ୍ରହଣ କରିଥିବା ସୀତାରାମନ ମତ ଦେଇଛନ୍ତି।
ଏହି ଆଧାରରେ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯୋଡି ହେବ ବୋଲି ସେ ମତ ରଖିଛନ୍ତି। ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୫୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଆଗକୁ ଆସିବାକୁ ଥିବା ପ୍ରକଳ୍ପ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୩୯% କାର୍ଯ୍ୟକ୍ରମ ହାତକୁ ନିଆଯିବ। ବଳକା ୨୨% ଘରୋଇ କ୍ଷେତ୍ର ଦ୍ୱାରା ହେବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ପ୍ରକଳ୍ପଗୁଡିକ ଶକ୍ତି, ରେଳ, ସହର ବିକାଶ, ଜଳସେଚନ, ମୋବିଲିଟି, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ହେବ। ଶକ୍ତି କ୍ଷେତ୍ର ଲାଗି ଆଗାମୀ ଦିନରେ ୨୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ରାଜପଥ ଲାଗି ୨୦ ଲକ୍ଷ କୋଟି ଏବଂ ପ୍ରାୟ ୧୪ ଲକ୍ଷ କୋଟି ରେଳପଥର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର, ରେଳ ସହର ବିକାଶ, ଜଳସେଚନ, ଡିଜିଟାଲ ଭଳି ଅନ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଥିବା ସେ ମତ ରଖିଛନ୍ତି।

Share