Categories: ଖେଳ

ନେହେରୁ କପ୍‌ ହକି ଫାଇନାଲରେ ମାରପିଟ୍‌

ନୂଆଦିଲ୍ଲୀ,୨୬।୧୧- ହକି ଗ୍ରାଉଣ୍ଡରେ ସାଧାରଣତଃ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌ ହେବା ଘଟଣା କ୍ୱଚିତ ଦେଖାଯାଏ। ମାତ୍ର ଏଭଳି ଘଟଣା ଜାତୀୟ ସ୍ତରୀୟ ହକି ଟୁର୍ନାମେଣ୍ଟ ନେହେରୁ କପ୍‌ର ଫାଇନାଲରେ ଦେଖିବାକୁ ମିଳିଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ପଞ୍ଜାବ ପୋଲିସ ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟରେ ସୋମବାର ଅନୁଷ୍ଠିତ ଫାଇନାଲ ଅତ୍ୟଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ସ୍କୋର ଲାଇନ୍‌ ୩-୩ରେ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ଥିବାବେଳେ ପିଏନ୍‌ବି ଆଟାକିଂ ପୋଜିଶନରେ ଥିଲା। ଏତିକି ବେଳେ ଦୁଇ ଦଳର ଖେଳାଳି ହାତାହାତି ଓ ପରେ ହକି ଷ୍ଟିକରେ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ କିଛି ସମୟ ପାଇଁ ଖେଳ ପଡ଼ିଆ ଯୁଦ୍ଧ ପଡ଼ିଆରେ ପରିଣତ ହୋଇଥିଲା। ଟୁର୍ନାମେଣ୍ଟ ଅଫିସିଆଲ ଫିଲ୍ଡ ମଧ୍ୟକୁ ପ୍ରବେଶ କରିବାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏଭଳି ଅଣଖେଳୁଆଡ଼ ମନୋଭାବ ଯୋଗୁ ରେଫରି ଉଭୟ ଦଳର ୩ ଲେଖାଏ ଖେଳାଳି ଓ ପଞ୍ଜାବ ପୋଲିସ ମ୍ୟାନେଜରଙ୍କୁ ରେଡ କାର୍ଡ ଦେଇଥିଲେ। ଫଳରେ ଦୁଇ ଦଳକୁ ୮ ଜଣ ଖେଳାଳିରେ ଖେଳିବାକୁ ପଡ଼ିଥିଲା। ବିରତି ପରେ ପିଏନ୍‌ବି ୬-୩ ବ୍ୟବଧାନରେ ଜିତିବା ସହ ଚାମ୍ପିୟନ ହୋଇଥିଲା। ମ୍ୟାଚ୍‌ବେଳେ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ ହକି ଇଣ୍ଡିଆ (ଏଚ୍‌ଆଇ)। ଟୁର୍ନାମେଣ୍ଟ ଆୟୋଜକଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ହିଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଚ୍‌ଆଇ ସିଇଓ ଏଲିନା ନର୍ମାନ କହିଛନ୍ତି। ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ତଥା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ମୁଖ୍ୟ ନରିନ୍ଦର ବାତ୍ରା ସମ୍ପୃକ୍ତ ଖେଳାଳି ଓ ଅଫିସିଆଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଏଚ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Share