ନୂତନ କୋର୍ଟ କୋଠା ଉଦ୍‌ଘାଟିତ

ଚାନ୍ଦିଲି(କୋଟପାଡ଼),୯ା୩(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟପାଡ଼ ଜେଏମ୍‌ଏଫ୍‌ସି କୋର୍ଟର ଏକ ନୂତନ କୋଠା ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ବିଚାରପତି କୃଷ୍ଣରାମ ମହାପାତ୍ର ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, କୋରାପୁଟ ଜିଲାଜଜ୍‌ ବିମଲ୍‌ କୁମାର ଚାନ୍ଦ, ଓଡ଼ିଶା ବାର୍‌ କାଉନ୍‌ସିଲ ସଦସ୍ୟ ବିଷ୍ଣୁ ପ୍ରସାଦ ପାତ୍ର, କୋଟପାଡ଼ ଜେଏମ୍‌ଏଫ୍‌ସି ରୋହିତ ରଞ୍ଜନ ମିଶ୍ର ମଞ୍ଚାସୀନ ଥିଲେ। ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅତ୍ୟାଧୁନିକ କୋଠାର ପରିଷ୍କାର ତଥା ସୁରକ୍ଷା ଦାୟିତ୍ୱ ଓକିଲ ଓ ମହକିଲଙ୍କର ବୋଲି ବିଚାରପତି ମହାପାତ୍ର କହିଥିଲେ। ସେହିପରି କୋଟପାଡ଼ରେ ସିଭିଲ୍‌ ଜଜ୍‌ କୋର୍ଟ, ଫାମିଲି କୋର୍ଟ ଓ ସେସନ୍‌ କୋର୍ଟର ସର୍କିଟ କୋର୍ଟ ଖୋଲାଯିବା ପାଇଁ ସଂଘ ସଭାପତି ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଚାରପତି ମହାପାତ୍ର ଏବଂ ଅତିଥିମାନେ କୋର୍ଟ ପରିସରରେ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର, ରେଜିଷ୍ଟ୍ରାର ହିମାଂଶୁ ଶେଖର ବିଶ୍ୱାଳ,ଫାମିଲି ଜଜ୍‌ ଦିଗାମ୍ବର ପୃଷ୍ଟି, ସିଜେଏମ୍‌ ପ୍ରଣତି ପଟ୍ଟନାୟକ, ଏସ୍‌ଡିଜେଏମ୍‌ ଜନ୍ମେଜୟ ପଲେଇଙ୍କ ସମେତ ଏଡିଏମ୍‌ ଦେବେନ ପ୍ରଧାନ, ଉପଜିଲାପାଳ ଲୋକନାଥ ଦଳବେହେରା, ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ, ତହସିଲଦାର ଦୂତୀକୃଷ୍ଣ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକରଞ୍ଜନ ସାମନ୍ତରାୟ, ଆଇଆଇସି ଉଲ୍ଲାସ ମାଝିଙ୍କ ସମେତ ଜୟପୁର ନବରଙ୍ଗପୁର, ବୋରିଗୁମା, କୋରାପୁଟ ଓକିଲ ସଂଘର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଯୋଗ ଦେଇଥିଲେ। ସମ୍ପାଦକ ଗୁପ୍ତ କୈଳାସ ମହାନ୍ତି, ସହ ସମ୍ପାଦକ ବାବୁଲି ନାୟକ, ଉପ ସଭାପତି ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ଶଙ୍କର ପଣ୍ଡା, କାମାକ୍ଷୀ ପ୍ରସାଦ ପାଢ଼ୀ, ରାଜେନ୍ଦ୍ର ପ୍ରସାଦ ନାୟକ, କିଶୋର ଚନ୍ଦ୍ର ମିଶ୍ର, ଦୁର୍ଗା ପ୍ରସନ୍ନ ସାହୁଙ୍କ ସମେତ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।