ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନୟାଗଡ଼ ଜିଲା ଶରଣକୂଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ପଡ଼ିଥିବା ନୂଆ ଜଗନ୍ନାଥ ସଡ଼କ ନିକଟ ରଣପୁରଠାରୁ ପୁରୀ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଘାଟ ନିର୍ମାଣ ସେବା ସଂଘ, ରଣପୁର ପକ୍ଷରୁ ରବିବାର ୬୦୦ ଚାରା ରୋପଣ କରାଯାଇଛି। ସୋମବାର ପୁଣି ୪୦୦ ଚାରା ରୋପଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ସଂଘ ସଦସ୍ୟମାନେ ଏକ ମିନି ଟ୍ରକ ଯୋଗେ ନିମ୍ବ, ଚାକୁଣ୍ଡା ଆଦି ବିଭିନ୍ନ କିସମର ଗଛ ଚାରା ରୋପଣ କରିଥିଲେ। ସଦସ୍ୟମାନେ ପ୍ରତିବର୍ଷ ଭଳି ବୋଲ୍‌ବମ୍‌ରେ ନ ଯାଇ ଶ୍ମଶାନ ସଫେଇ କରି ଗଛ ସଂଖ୍ୟା ବୃଦ୍ଧି ନିମନ୍ତେ ଏ ବର୍ଷ କାର୍ଯ୍ୟ କରୁଛନ୍ତି। ସେହିପରି ଫନୀରେ ସମସ୍ତ ବୃକ୍ଷଲତା ନଷ୍ଟ ହୋଇଯାଇଥିବାରୁ ଉକ୍ତ ରାସ୍ତା ପାର୍ଶ୍ୱକୁ ସ୍ବଚ୍ଛ, ସୁନ୍ଦର ରଖିବା ନିମନ୍ତେ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଦସ୍ୟମାନେ ରକ୍ଷଣାବେକ୍ଷଣ ଆଦିର ହିସାବ ମଧ୍ୟ ରଖିବେ ବୋଲି କହିଛନ୍ତି। ଯେଉଁ ଗଛ ମରିଯିବ ସେହି ସ୍ଥାନରେ ନୂତନ ଚାରା ରୋପଣ କରାଯିବ ବୋଲି ସଂଘ ସୂଚନା ଦେଇଛି।