ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’: ଭିନ୍ନ ଭୂମିକାରେ ହରିହର ଦାଶ, ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା

ଦୁଇ ଦୁଣେ କ’ଣ ପାଞ୍ଚ ହୋଇପାରେ ? ଏହା ନିଶ୍ଚୟ ଏକ ଉଦ୍ଭଟ ଚିନ୍ତାଧାରା। ହେଲେ କେତେକେ ଏହାକୁ ‘ଦୁଇ ଦୁଣେ ପାଞ୍ଚ’ ବୋଲି ପ୍ରମାଣ କରିବାକୁ ଚେଷ୍ଟାରତ। ସେମାନେ କିଏ ଆଉ କ’ଣ ପାଇଁ ଏଭଳି ଚିନ୍ତାଧାରା ଆପଣେଇଛନ୍ତି ଆଉ ତାହା ଦ୍ୱାରା କେଉଁମାନେ ପ୍ରଭାବିତ ହେଉଛନ୍ତି ତାହା ଜାଣିବେନି ? କାହାଣୀ ଅନୁସାରେ ଆଜିକାଲି ଦୁନିଆରେ କ୍ଷମତା ମୋହରେ ଧରାକୁ ସରା ମଣୁଥିବା କେତେକ ନେତା ସାଧାରଣ ଜନତାଙ୍କୁ ହଇରାଣ କରୁଛନ୍ତି। ଏହାବ୍ୟତୀତ ଚିଟଫଣ୍ଡ ମାୟାଜାଲରେ ଫସି ଅନେକ ଜନତା ସେଥିରୁ ମୁକୁଳିବାକୁ ଚାହୁଁଛନ୍ତି। ଠିକ୍‌ ସେତିକି ବେଳେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ରାଜୁ ସାହସର ସହ ଆଗକୁ ବାହାରିଛି। ହେଲେ ନିଜର ଲକ୍ଷ୍ୟ ପଥରେ ସେ ପହଞ୍ଚତ୍ ପାରୁଛନ୍ତି ତ ? ସାଧାରଣ ଜନତା ସେପରି ନେତାଙ୍କୁ କିପରି ସାମନା କରୁଛନ୍ତି। ଏପରି ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’। ଚଳଚ୍ଚିତ୍ରଟି ହେଲା ‘ଦୁଇ ଦୁଣେ ପାଞ୍ଚ’। ଏ ସମ୍ପର୍କରେ ଏହି ସିନେମାର କାହାଣୀ-ଚିତ୍ରନାଟ୍ୟ-ସଂଳାପ ରଚୟିତା ତଥା ନିର୍ଦ୍ଦେଶକ ସରୋଜ ମହାପାତ୍ର କହନ୍ତି, ‘ଏହି କାହାଣୀ ସାମ୍ପ୍ରତିକ ଘଟଣା ଉପରେ ଆଧାରିତ ହେଲେ ମଧ୍ୟ ସେଥିରେ ଅନେକ ନୂତନତ୍ୱ ରହିଛି। ଦୃଶ୍ୟାୟନ ସମୟରେ ତାହା କିପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ଯଥା ସମ୍ଭବ ଚେଷ୍ଟା କରାଯାଇଛି ଏବଂ ଫିଲ୍ମଟି ସେମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରହିଛି।’ ହରେକୃଷ୍ଣ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ତଥା ରାଧେଶ୍ୟାମ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାରେ ଡ୍ୟାନ୍ସର ହରିହର ଦାଶ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଏଥିରେ ତାଙ୍କର ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା। ଏମାନଙ୍କ ବ୍ୟତୀତ ଜୀବନ ପଣ୍ଡା, ସ୍ବର୍ଗତ ସଲିଲ ମିତ୍ର, ବିଜୁ ବଡଜେନା ଏବଂ ଅଶ୍ରୁମୋଚନ ମହାନ୍ତି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସଂଯୋଜିତ ଗୀତଗୁଡିକୁ ବାପୁ ଗୋସ୍ବାମୀ ରଚନା କରିଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଶଶାଙ୍କ ଶେଖର।

Share