Categories: ଗଜପତି

ନୂଆଗଡ଼ ବ୍ଲକରେ ଡେଙ୍ଗୁ ଆତଙ୍କ , ଜଣେ ମୃତ, ୩୩ ଆକ୍ରାନ୍ତ

ଆର.ଉଦୟଗିରି,୧୦ା୧୧(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ନୂଆଗଡ ଗ୍ରାମ ନଦୀପାଖ ସାହିର ୩୩ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ରୋଗୀ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଶୁକ୍ରବାର ଏଠାରେ ୧୦ ଜଣ ଚିକିତ୍ସିତ ହେଉଛନ୍ତି। ନଦୀପାଖ ସାହି ଗ୍ରାମର ପ୍ରିୟ ପାଣିଙ୍କୁ କିଛିଦିନ ତଳେ ଜ୍ୱର ହୋଇଥିଲା। ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଗ୍ରାମର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଜ୍ୱରରେ ପଡିଥିଲେ। ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ ବ୍ରହ୍ମପୁର ବଡମେଡିକାଲ ନିଆଯାଇଥିଲା। ଏନେଇ ଗଜପତି ଜିଲା ସିଡିଏମ୍‌ଓ ଡା. ଗୁନୁରାଣୀ ପଟ୍ଟନାୟକଙ୍କୁ ପଚାରିବାରୁ ଗ୍ରାମର ୩୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକଲକୁ ପଠାଯାଉଛି ବୋଲି କହିଥିଲେ। ତେବେ ଡେଙ୍ଗୁ ରୋଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷେର ଶୁକ୍ରବାର ନୂଆଗଡ ଗ୍ରାମର ଲୋକମାନେ ଏ ବିଷୟରେ ବିଡିଓ ପ୍ରଫୁଲ କୁମାର ମୁର୍ମୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇଥିଲେ। ସେଠାରୁ ଏକ ସ୍ବାସ୍ଥ୍ୟଟିମ ଗ୍ରାମରେ ପହଞ୍ଚତ୍ ବିଭିନ୍ନ ସାହିରେ ବ୍ଲିଚିଂ ପକାଇବା ସହ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ସେହିପରି ଗ୍ରାମର ଯୁବକମାନେ ମଧ୍ୟ ସଫେଇ କରିଛନ୍ତି।