Categories: ମେଟ୍ରୋ

ନୂଆଗଁ। ରାସ୍ତାରେ ଡ୍ରେନ ନିର୍ମାଣକୁ ବିରୋଧ

ପୁରୁଣା ଭୁବନେଶ୍ୱର,୨୧।୬ (ଡି.ଏନ.ଏ.) : ବର୍ଷ ବର୍ଷ ଧରି ନୂଆଗଁ। ମ୍ୟୁନିସିପାଲିଟି ରାସ୍ତା ବର୍ଷା ଦିନେ ଶୋଚନୀୟ ହୋଇପଡୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିରେ ସୁଧାର ଆଣି ପାରି ନ ଥିବାବେଳେ ରାସ୍ତା ଖୋଳି ଏବେ ଡ୍ରେନ ନିର୍ମାଣ କରି ବର୍ଷା ଜଳ ପୁରୁଣା ଡ୍ରେନ୍‌ରେ ଛାଡିବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ୩୧୬ ନଂ. ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ନୂଆଗଁ। ପେଟ୍ରୋଲ ପମ୍ପଠାରେ ଡ୍ରେନ୍‌ ପାଇଁ ରାସ୍ତା କଡ ଖୋଳାଯାଉଛି। ଯାହାକୁ ନୂଆଗଁ।, ଟିକରପଡା, ଲିଙ୍ଗିପୁର, ଇଟିପୁର ୪ ପଞ୍ଚାୟତ ସହ ବିଭିନ୍ନ କଲୋନୀ ବାସିନ୍ଦା ବିରୋଧ କରିଛନ୍ତି। ଲୋକମାନଙ୍କ କହିବା କଥା ଜଳ ନିଷ୍କାସନ ପାଇଁ ବିଏମ୍‌ସି ଡ୍ରେନ ନିର୍ମାଣ କରୁ। ହେଲେ ଏହି ଜଳ ଭୁଲ ବାଟରେ ନ ଛାଡୁ। ଯାହା ପାଇଁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ନ ହେଉ। ଏ ଅଞ୍ଚଳର ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ଏଠାକାର ବାସିନ୍ଦା ଜଳ ବନ୍ଦୀରେ ପ୍ରାୟ ସମୟ ରହୁଛନ୍ତି। ଏହି ଡ୍ରେନ ଜଳ ନିଷ୍କାସନ ପାଇଁ ପ୍ରଥମେ ଉପଯୋଗୀ କରାଯାଉ ପରେ ନୂତନ ଡ୍ରେନ ଏଥିରେ ସଂଲଗ୍ନ ହେଉ। ନଚେତ ଡ୍ରେନ୍‌ ନିର୍ମାଣକୁ ବିରୋଧ କରାଯିବା ସହ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମାଗୁଣି ଦାସ, ରାଜେନ୍ଦ୍ର ସାହୁ, ଅଜିତ ରାଏ, ପ୍ରଦୀପ ପ୍ରଧାନ, ବସନ୍ତ ମହାରଣା, ବୃନ୍ଦାବନ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରମୁଖ ଗ୍ରାମବାସୀ କାମକୁ ବିରୋଧ କରିବା ସହ ବିଭାଗୀୟ ଅଧିକାରୀ ଏଦିଗ ପ୍ରତି ବିଚାର କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।