Categories: ବାଣିଜ୍ୟ

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସେ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ଜଡ଼ିତ ରହିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଅଦାଲତରେ ମାମଲା ଆଗତ ହୋଇଛି। ୪୮ବର୍ଷୀୟ ନୀରବଙ୍କୁ ଗତ ମାର୍ଚ୍ଚ ୧୯ରେ ଲଣ୍ଡନରେ ଗିରଫ କରାଯିବା ପରେ ଓ୍ବଣ୍ଡର୍ସଓ୍ବର୍ଥସ୍ଥିତ ଜେଲ୍‌ରେ ବନ୍ଦୀ ରହିଛନ୍ତି। ପୂର୍ବରୁ ବ୍ରିଟିଶ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କ ବିରୋଧରେ ଭାରତରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିବା ବେଳେ ଇଣ୍ଟରପୋଲ ପକ୍ଷରୁ ରେଡ୍‌କର୍ନର ନୋଟିସ ଜାରି କରାଯାଇଛି। ଭାରତ ପକ୍ଷରୁ ତାଙ୍କୁ ପ୍ରତ୍ୟର୍ପଣ ଲାଗି ଅନୁରୋଧ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୁରୁବାର ତାଙ୍କୁ ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟରେ ହାଜର କରାଯାଇଥିଲା।

Share