ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ

ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା କରୁଥିବା ଦେଖାଯାଇଛି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥିବା ବେଳେ ଲୋକେ ଏହାକୁ ବେଶ୍‌ ଭଲଭାବେ ପାଳନ କରିଥିଲେ। ଏହାକୁ ଦେଖି ଉତ୍ତରଖଣ୍ଡ ସରକାର ଏହାର ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଏହାପରେ ଲୋକେ ଏହାକୁ ପାଳନ ନ କରୁଥିବା ଦେଖାଯିବାରୁ କେନ୍ଦ୍ର ସରକାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାଯର୍ର୍‌ୟାନୁଷ୍ଠାନ ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏହାପରେ ବି ଲୋକେ ନିୟମ ଭାଙ୍ଗୁଥିବାରୁ ଉତ୍ତରାଖଣ୍ଡ ପୋଲିସ କେତେ ଜଣଙ୍କୁ ଧରିବା ସହ ସେମାନଙ୍କ ହାତରେ ‘ମୁଁ ସମାଜର ଶତ୍ରୁ, ମୁଁ ଘରେ ବନ୍ଦ ହୋଇ ରହୁନାହିଁ’ ଲେଖି ଏକ ପୋଷ୍ଟର ଧରାଇବା ସହ ସେମାନଙ୍କର ଫଟୋ ଉଠାଉଛି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାଠାରୁ ଦୂରେଇ ରହିବା ପାଇଁ ଦେଶର ସମସ୍ତ ଜନତାଙ୍କୁ ଯେତେ ସମ୍ଭବ ଘରେ ବନ୍ଦ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ସରକାର ସମସ୍ତଙ୍କୁ ଘଷର ରହିବାକୁ କହୁଛନ୍ତି।

Share