ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ

ଛତ୍ରପୁର,୩୧ା୩(ଡି.ଏନ.ଏ)-ଲକ୍‌ଡାଉନ୍‌କୁ ବେଖାତିର କରି କେତେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁନାହାନ୍ତି। ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ନ ସୁଧୁରିଲେ ସେମାନଙ୍କୁ ଧରି ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମୁକାବିଲା ସମ୍ପର୍କିତ ଏକ ବୈଠକରେ ଜିଲାପାଳ ବୟସ୍କମାନଙ୍କୁ ଏହି ସଂକ୍ରମଣ କରିବାର ଭୟ ଅଧିକ ଥିବାରୁ ସେମାନେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ଗାଡ଼ିରେ ବାହାର ରାଜ୍ୟରୁ ଲୋକେ ଜିଲା ଭିତରକୁ ଆସିବେ ଉକ୍ତ ଗାଡି ଓ ଡ୍ରାଇଭର ନାଁରେ ମାମଲା ରୁଜୁ କରାଯିବ। ଗାଡ଼ି ଜବତ କରାଯିବ। ସଂପୃକ୍ତ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ସକାଳେ ଏବଂ ଅପରାହ୍ନରେ ସମସ୍ତଙ୍କ ହାଜିରା ସୁନିଶ୍ଚିତ କରାଯିବ । କୌଣସି ମନ୍ଦିରରେ ସଂଖ୍ୟାଧିକ ଲୋକ ଦେଖାଦେଲେ ସେଠାରେ ତାଲା ପକାଇ ଦିଆଯିବ। ଦୋକାନରେ ଲୋକେ ନିୟମ ନ ମାନି ଲୋକେ ଗହଳି କଲେ ସମ୍ପୃକ୍ତ ଦୋକାନୀଙ୍କ ଉପରେ ଜରିମାନା ପକାଯିବ। ସେହିପରି ଅଧିକ ବାଇକ୍‌ ଧରପଗଡ କରିବା ପାଇଁ କୁହାଯାଇଛି। ଗ୍ରାମାଞ୍ଚଳରେ ସକାଳେ ଏବଂ ସନ୍ଧ୍ୟାରେ ମାଇକ୍‌ ଯୋଗେ ଲକ୍‌ଡାଉନ୍‌ ପ୍ରଚାର କରାଯିବ। ଆଇସୋଲେଶନ ସେଣ୍ଟର ପ୍ରସ୍ତୁତ ରଖିବା, ବ୍ଲକରେ ୨୪ ଘଣ୍ଟିଆ କଣ୍ଟୋଲ ରୁମ୍‌ ଖୋଲିବା, ୧୨୨ଟି ରାପିଡ୍‌ ଆକ୍ସନ ଟିମ୍‌ ପ୍ରସ୍ତୁତ ରହିବା, ଜେଲ୍‌ ଅନ୍ତେବାସୀଙ୍କୁ ସାନିଟାଇଜର ଓ ମାସ୍କ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବେସରକାରୀ ସଂସ୍ଥା ଚାହିଁଲେ ବିଡିଓଙ୍କୁ ଖାଦ୍ୟ ସାମଗ୍ରୀ ଦେଇପାରିବେ । କରୋନା ମୁକାବିଲା ପ୍ରସ୍ତୁତିକୁ ନେଇ ସମସ୍ତ ବ୍ଲକସ୍ତରରେ ମକ୍‌ ଡ୍ରିଲ୍‌ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ , ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।