Categories: ବାଣିଜ୍ୟ

ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ନିୟାମକ;ତେଜସ୍‌ ଟ୍ରେନ ଭଡ଼ା ବଢ଼ାଇ ପାରିବେନି ଘରୋଇ ଅପରେଟର

ନୂଆଦିଲ୍ଲୀ,୧୧-୯: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତା ମାସରେ ଚଳାଚଳ କରିବା ସମ୍ଭାବନା ରହିଛି। ଭାରତୀୟ ରେଳର ସହାୟକ କମ୍ପାନୀ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି)କୁ ତେଜସ୍‌ ଏକ୍ସପ୍ରେସର ପରିଚାଳନା ଭାର ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଲକ୍ଷ୍ନୌ ଓ ଅହମ୍ମଦାବାଦ୍‌- ମୁମ୍ବାଇ ମଧ୍ୟରେ ଦୁଇଟି ତେଜସ୍‌ ଏକ୍ସପ୍ରେସ ଚାଲିବ। ଏହି ଟ୍ରେନରେ ବିମାନ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଦିଆଯିବ। ତେବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଘରୋଇ ଅପରେଟର ଯେପରି ଭଡ଼ା ବୃଦ୍ଧି ନ କରିବେ ସେଥିଲାଗି ରେଳ ବିକାଶ ପ୍ରାଧିକରଣର କ୍ଷମତାକୁ ବୃଦ୍ଧି କରାଯାଇ ଏହାକୁ ଏକ ରେଗୁଲେଟର ବା ନିୟାମକ ଭାବେ ଗଠନ କରାଯିବ। ଘରୋଇ ଟ୍ରେନର ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିବା ଏହାର ଦାୟିତ୍ୱ ହେବ। ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ କହିଛନ୍ତି ଯେ, ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇବା କ୍ଷେତ୍ରରେ ଘରୋଇ ଅପରେଟରଙ୍କୁ ସମସ୍ତ ପ୍ରକାର ଅନୁମତି ଦିଆଯାଇଛି। ଇତିମଧ୍ୟରେ ଆଇଆର୍‌ସିଟିସି ପକ୍ଷରୁ ତେଜସ୍‌ ଏକ୍ସପ୍ରେସର ଯାତ୍ରୀଙ୍କ ପାଇଁ ହୋଟେଲ ବୁକିଂ, ଟ୍ୟାକ୍ସି, ବ୍ୟାଗେଜ ପିକ୍‌ଅପ୍‌ ଏବଂ ଡ୍ରପ୍‌ ଭଳି ସୁବିଧା ଯୋଗାଇ ଦିଆଯିବ। ଏହାଛଡ଼ା ଆବଶ୍ୟକ କରୁଥିବା ଯାତ୍ରୀଙ୍କୁ ଆଇଆର୍‌ସିଟିସି ହୁଇଲଚେୟାର ଯୋଗାଇବ।

Share