ନିଶାମୁକ୍ତି ଅଭିଯାନରେ ଖଳିସାହି ଗ୍ରାମବାସୀ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଗ୍ରାମରେ ନିଶାଦ୍ରବ୍ୟର ଅବାଧ କାରବାର ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସୁଫଳ ନ ପାଇବାରୁ ନିଶାମୁକ୍ତ ଗ୍ରାମ ଗଠନ ନିମନ୍ତେ ଅଣ୍ଟା ଭିଡିଛନ୍ତି। ରବିବାର ୫ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଅଭିଯାନର ଶୁଭାରମ୍ଭ କରିଥିଲେ। ପୂର୍ବାହ୍ନ ୧୦ଟାରେ ଗ୍ରାମବାସୀ ଶୋଭାଯାତ୍ରାରେ ବାହାରି ଖଳିସାହି ଗ୍ରାମର ପ୍ରତ୍ୟେକ ୱାର୍ଡ ଓ ନିକଟସ୍ଥ କୋଟପୋଖରୀ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଖଳିସାହି ବଜାର ଓ ଗଳିକନ୍ଦିରେ ଦେଶୀ ଓ ବିଦେଶୀ ମଦ, ଭାଙ୍ଗ, ଗଞ୍ଜେଇ, କୋରେକ୍ସ (କଫ୍‌ ସିରପ୍‌), ବ୍ରାଉନ ସୁଗାର କାରବାର ସମ୍ପୂର୍ଣ୍ଣ ବନ୍ଦ ଉପରେ ଗ୍ରାମବାସୀ କଟକଣା ଲଗାଇଥିବା ଜଣାପଡିଛି। ସେହିପରି ନିଶାସେବନକାରୀ ବ୍ୟକ୍ତି ବିଶେଷ ଯଦି କେହି ଧରାପଡନ୍ତି ତା’ହାଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ଅର୍ଥ ଜରିମାନା ଦେବାର ବ୍ୟବସ୍ଥା କରାଯାଇଥିବା ଅଭିଯାନର ଆବାହକଙ୍କଠାରୁ ପ୍ରକାଶ। ଏହି ଅଭିଯାନରେ ପୂର୍ବତନ ସରପଞ୍ଚ ନବକିଶୋର ପୃଷ୍ଟି, ବିଶିଷ୍ଟ ବ୍ୟବସାୟୀ ଅଚ୍ୟୁତ କୁମାର ପୃଷ୍ଟି, ବେଣୁଧର ମହାରଣା, ଶରତ କୁମାର ସାହୁ, ସଂଗଠକ ଶିବ ଶଙ୍କର ସାହୁ, ସୁଦର୍ଶନ ସାହୁ, ବସନ୍ତ କୁମାର ଗଣ୍ଠିଆ, ଯୁଧିଷ୍ଠିର ସାହୁ, ଫକୀର ମୋହନ ସାହୁ, ଅଜୟ କୁମାର ମହାରଣା, ଦାଶରଥି ସାଥୁଆ, ପ୍ରଦୀପ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ସେମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।