ନିର୍ମାଣାଧୀନ ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ପରଜଙ୍ଗ,୭ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରୋଡ଼ ଗ୍ରାମର କାଳିଆ ନାଏକ। ସକାଳେ ଡ୍ରେନ୍‌ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ଡ୍ରେନ୍‌ କାମ ଚାଲିଥିବା ବେଳେ ରାସ୍ତା ପାର୍ଶ୍ୱରେ କୌଣସି ସୁରକ୍ଷା ବାଡ଼ କିମ୍ବା ସୂଚନା ଫଳକ ଲଗାଯାଇ ନାହିଁ। ଏଥିରେ ପଡ଼ି କାଳିଆଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।