ନିର୍ବାଚନ ପୂର୍ବରୁ ଜଳିଗଲା ୫୦ ହଜାର ଭୋଟିଂ ମେଶିନ

କାରାକାସ,୯।୩: ଭେନେଜୁଏଲାର ନିର୍ବାଚନ ପରିଷଦ ରବିବାର କହିଛନ୍ତି ରାଜଧାନୀ କାରାକାସରେ ଥିବା ଏକ ଗୋଦାମରେ ନିଆଁ ଲାଗିବା ଫଳରେ ଷ୍ଟୋରରେ ଥିବା ଅଧିକାଂଶ ଭୋଟିଂ ମେଶିନ ନଷ୍ଟ ହୋଇଯାଇଛି। ଭେନେଜୁଏଲାରେ ଆଗକୁ ଥିବା ନିର୍ବାଚନ ପାଇଁ ଏହା ଏକ ସମସ୍ୟା ହେଲା ବୋଲି କୁହାଯାଇଛି। ନିର୍ବାଚନ ପରିଷଦର ମୁଖ୍ୟ ଟିବିସେ ଲୁସେନା କହିଛନ୍ତି, ଗୋଦାମ ଘରେ ନିଆଁ ଲାଗିଯିବା ଫଳରେ ପାଖାପାଖି ୫୦ ହଜାର ଭୋଟିଂ ମେଶିନ ଓ ୬୦୦ କମ୍ପ୍ୟୁଟର ପୋଡି ଯାଇଥିବା ଅନୁମାନ କରାଯାଉଛି। ଏକ ଟେଲିଭିଜନ ସାକ୍ଷାତ୍‌କାରରେ ଲୁସେନା କହିଛନ୍ତି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଉକ୍ତ ଗୋଦାମରୁ ଅଳ୍ପକିଛି ମେଶିନ ଓ କମ୍ପ୍ୟୁଟରକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ମଧ୍ୟ ଜଣାପଡିନାହିଁ। ଆଗକୁ ହେବାକୁ ଥିବା ନିର୍ବାଚନ ଉପରେ ଏହା କେତେ ପରିମାଣରେ ପ୍ରଭାବ ପକାଇବ ସେ ନେଇ ଆଲୋଚନା ହେଉଛି ବୋଲି ଲୁସେନା କହିଛନ୍ତି।

Share