ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନନ୍ଦପୁରର ଭାଜପା ସମର୍ଥକ ଓ ଦଳୀୟ ନେତା। କେଉଁ କାରଣରୁ ସେ ହାରିଲେ ସେନେଇ ଚାଲିଛି ଚର୍ଚ୍ଚା। କେହି କେହି କ୍ରସ୍‌ ଭୋଟିଂ ଯୋଗୁ ଏମ୍‌ପି ପ୍ରାର୍ଥୀ ପରାଜୟ ହେଲେ ବୋଲି କହୁଥିବାବେଳେ ଆଉ କେହି ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ ବୋଲି ମତ ଦେଉଛନ୍ତି। ଆନନ୍ଦପୁର ଓ ଘଷିପୁରା ବିଧାନସଭା ଆସନରେ ଭାଜପାର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏମ୍‌ପି ପ୍ରାର୍ଥୀଙ୍କ ପରାଜୟ ଭାଜପା ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୦୯ରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ୧୦ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ୧୨ ହଜାର ୬୬୪ ଖଣ୍ଡ ଏବଂ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଭାଜପା ୩୧ ହଜାର ୫୫୪ ଖଣ୍ଡ ଭୋଟ ହାତେଇଥିଲା। ସେହିଭଳି ଘଷିପୁରା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ଭାଜପାକୁ ୯୬୮୯, ୨୦୧୪ରେ ୨୦ ହଜାର ୨୯୮ ଏବଂ ୨୦୧୯ରେ ୨୭ ହଜାର ୫୭୯ ଖଣ୍ଡ ଭୋଟ ମିଳିଥିଲା। ଏହିକ୍ରମରେ ଉଭୟ ନିର୍ବାଚନମଣ୍ଡଳୀରେ ଭାଜପା ଭୋଟ ବୃଦ୍ଧି ପାଇବା ସହିତ ଜିଲାର ଅନ୍ୟ ଆସନ ଚମ୍ପୁଆ, ପାଟଣା, ସଦର, ତେଲକୋଇ, କରଞ୍ଜିଆ ଆଦି ବିଧାନସଭା କ୍ଷେତ୍ରରେ ଭାଜପା ଭୋଟ ହାର ବୃଦ୍ଧି ପାଇଛି। ତେବେ ଭାଜପା ଏମ୍‌ପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥାଇ ମଧ୍ୟ ପରାଜୟ ସ୍ବୀକାର କରିବା ଦଳୀୟ କର୍ମୀ ତଥା ଭାଜପା ସମର୍ଥକଙ୍କୁ ମର୍ମାହତ କରିଛି। କେନ୍ଦୁଝର ଜିଲାରେ ଭାଜପା ଏମ୍‌ପି ଭାବେ ପୂର୍ବରୁ ଅନନ୍ତ ନାୟକ ଦୁଇ ଦୁଇ ଥର ବିଜୟଲାଭ କରି ଲୋକପ୍ରିୟତାର ଶୀର୍ଷରେ ରହି ଆସିଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ଅନନ୍ତ ନାୟକ ସ୍ବଳ୍ପ ବ୍ୟବଧାନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁଙ୍କଠାରୁ ପରାଜିତ ହୋଇଛନ୍ତି।