ନିରାଶ୍ରୟ ପଥିକଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର,୧୬ା୪(ଡି.ଏନ୍‌.ଏ.) : କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ପ୍ରଶାସନର କଟକଣା ଯୋଗୁ ସକାଳ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତାଘାଟ ଶୂନଶାନ ହୋଇପଡୁଛି। ଏହି ସମୟରେ ଭୋକିଲା ପେଟକୁ ଦାନା ମୁଠାଏ ଯୋଗାଡ଼ କରିବା ନିରାଶ୍ରୟଙ୍କ ପାଇଁ କାଠିକର ପାଠ।  ବରଗଡ଼ ଜିଲା ବିଜେପୁର- ପଦ୍ମପୁର ରାସ୍ତାରେ ଯାଉଥିବା ଏଭଳି ଜଣେ ନିରାଶ୍ରୟ ପଥିକଙ୍କୁ ଗୁରୁବାର ମଧ୍ୟାହ୍ନରେ ପ୍ରଶାସନ ଉଦ୍ଧାର କରିଛି। ସେ ହେଲେ ବଲାଙ୍ଗୀର ଜିଲା ରାଜଆଗଲପୁର ବ୍ଲକର ନଅଗାଁର ସୁରୁ ସାହୁ ।
ସୂଚନାନୁଯାୟୀ, ସୁରୁ ସମ୍ବଲପୁର ଗୋଶାଳାର ଏକ ହୋଟେଲରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ହୋଟେଲ ବନ୍ଦ ହୋଇ ଯାଇଥିଲା। ଉକ୍ତ ଯୁବକ ଜଣକ ଅବିବାହିତ ରହିଥିବାରୁ ମାଲିକ ନିକଟରେ ସେ ରହିଯାଇଥିଲେ। କୌଣସି କାରଣରୁ ମାଲିକ ନିକଟରୁ ସେ ଅନ୍ୟତ୍ର ଚାଲି ଆସିଥିଲେ। ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ସେ ନିଜର ବ୍ୟବହାର୍ଯ୍ୟ ସାମଗ୍ରୀକୁ ବ୍ୟାଗରେ ଭର୍ତ୍ତି କରି ବହୁ କଷ୍ଟରେ ବରଗଡ଼ରୁ ବାହାରି ବିଜେପୁର ବାଟ ଦେଇ ନଅଗାଁକୁ ଫେରୁଥିଲେ। ୩ଟି ବ୍ୟାଗ୍‌କୁ କିଛି ଦୂରରେ ରଖି ପୁଣି ପଛକୁ ଫେରି ଅନ୍ୟ ବ୍ୟାଗ୍‌ ଧରି ଆଗକୁ ବଢୁଥିଲେ। ଏହି ଦୃଶ୍ୟ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଖବର ପାଇବା ପରେ ସ୍ଥାନୀୟ ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର କେଉଁଟିପାଲରେ ପହଞ୍ଚିଥିଲେ। ସେହିପରି ରାସ୍ତାରେ ଯାଉଥିବା ଭାଜପା ନେତା ସନତ କୁମାର ଗଡ଼ତିଆ ମଧ୍ୟ ଅଟକି ଯାଇ ନିରାଶ୍ରିତଙ୍କ ବନ୍ଦୋବସ୍ତ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସଂପୃକ୍ତ ନିରାଶ୍ରିତ ପଥିକକୁ ଏନଏସି ପକ୍ଷରୁ ତୁରନ୍ତ ଗାଡ଼ିରେ ନିଆଯାଇ ହାଇସ୍କୁଲରେ ଖୋଲା ଯାଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ନିରାଶ୍ରିତଙ୍କ ଖାଦ୍ୟପେୟ ବନ୍ଦୋବସ୍ତ କରାଯିବା ସହ ତାଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।