ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି।
କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଣ୍ଟନ, ଷ୍ଟକ ରଖିବା, ଅନ୍‌ଲାଇନରେ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି ଐଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି। ସେହିପରି ସରକାରଙ୍କ ପ୍ରଦତ୍ତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ପାରାଦୀପର ଏକମାତ୍ର ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଏଭଳି ଅସୁବିଧା ଦେଖିବାକୁ ମିଳୁଛି। ଏଠାରେ ଥିବା ନିରାମୟ କେନ୍ଦ୍ରରୁ ପୂର୍ବରୁ ଦୈନିକ ୫୦ରୁ ୧୦୦ ଲୋକ ଔଷଧ ନେଉଥିଲେ। ମାତ୍ର ଗତ ୬ମାସ ହେଲା ଏହି ସଂଖ୍ୟା ୩୫୦ରୁ ୪୦୦ରେ ରହୁଛି। ଆଉଟ୍‌ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି। ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛୁ ବୋଲି କହିଛନ୍ତି ମହାକାଳପଡ଼ା ବତୀଘର ଅଞ୍ଚଳରୁ ଆସିଥିବା ରୀତା ମଣ୍ଡଳ। ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଥିଯୋଗୁ କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ଜଣେ କର୍ମଚାରୀରେ ଏସବୁ କାମ କରିବାରେ ଅସୁବିଧା ହେଉଛି ବୋଲି ଫାର୍ମାସିଷ୍ଟ ଧର୍ମାନନ୍ଦ ସାହୁ କହିଛନ୍ତି। ମେଡିକାଲ ଇନ୍‌ଚାର୍ଜ ଅଫିସର ଡା. ବସନ୍ତ ରାଉତ କହିଛନ୍ତି ଯେ ଯେତିକି କର୍ମଚାରୀ ଅଛନ୍ତି, ସେଥିରେ କାମ କରିବାକୁ ପଡୁଛି। ଔଷଧ ଅଭାବ ପ୍ରସଙ୍ଗଗରେ ସେ କହିଛନ୍ତି ଯେ, ସେମିତି ହୋଇ ନ ଥିବ। କଁା ଭଁା ଗୋଟିଏ ଦୁଇଟି ପ୍ରକାର ଔଷଧ ସ୍ବଳ୍ପ ସମୟ ପାଇଁ ସରିଯାଇଥିବ।