Categories: ଖେଳ

ନିରପେକ୍ଷ ଭେନ୍ୟୁରେ ଖେଳାଯିବ ଏସିଆ କପ୍‌: ପିସିବି ସ୍ବୀକାର କଲା

କରାଚୀ,୭।୩(ପି.ଟି.)- ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ଶନିବାର ସ୍ବୀକାର କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ଏହଶାନ ମାନି। ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ସୁରକ୍ଷାଗତ କାରଣରୁ ପାକିସ୍ତାନରେ ଭାରତ ଖେଳିପାରିବ ନାହିଁ। ଏଣୁ ଏସିଆ କପ୍‌ ୟୁଏଇଠାରେ ଖେଳାଯିବ। ସେତେବେଳେ ଏହାକୁ ଅସ୍ବୀକାର କରିଥିଲେ ମାନି। କିନ୍ତୁ ଶନିବାର ପିସିବି ମୁଖ୍ୟ ନିଜ ମନ୍ତବ୍ୟ ବଦାଳାଇ ଦେଇଛନ୍ତି। ଆମକୁ ଏସିଆନ କ୍ରିକେଟ କାଉନ୍ସିଲ(ଏସିସି)ର ସମସ୍ତ ଆସୋସିଏଟ୍‌ ସଦସ୍ୟଙ୍କ ଲାଭ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ। ପାକିସ୍ତାନ ଗସ୍ତ ଲାଗି ଭାରତ ରାଜି ନ ଥିବାରୁ ଆମେ ଏସିଆ କପ୍‌ ଆୟୋଜନ କରିବା ଉଚିତ ହେବ ନାହିଁ। ଏଣୁ ନିରପେକ୍ଷ ଭେନ୍ୟୁ ହିଁ ଏକମାତ୍ର ବିକଳ୍ପ। ମାତ୍ର ଏ ସମ୍ପର୍କରେ ଏସିସି ସଦସ୍ୟ ନିଷ୍ପତ୍ତି ନେବେ ବୋଲି ମାନି କହିଛନ୍ତି। ସୂଚନାଥାଉକି, ୨୦୧୮ ଏସିଆ କପ୍‌ ଭାରତରେ ଆୟୋଜନ ହେବାର ଥିଲା। କିନ୍ତୁ ପାକିସ୍ତାନ ଯୋଗୁ ଏହା ୟୁଏଇକୁ ସ୍ଥାନାନ୍ତର ହୋଇଥିଲା। କେଉଁଠାରେ ଏସିଆ କପ୍‌ ଆୟୋଜନ ହେବ ବୋଲି ପ୍ରଶ୍ନ କରାଯିବାରୁ ମାନି କହିଛନ୍ତି, ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହା ୟୁଏଇ କିମ୍ବା ବାଂଲାଦେଶରେ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏସିସି ବୈଠକ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାର ଥିଲା। ହେଲେ କରୋନା ଭାଇରସ ଯୋଗୁ ବୈଠକକୁ ବାତିଲ କରି ଦିଆଯାଇଛି।

Share