ନିଆରା ମଣିଷ ମନ୍ଦରଧର ସାହୁ: ଦିନରେ କାକୁଡି ବେପାରୀ, ରାତିରେ କଳାର ପୂଜାରୀ

ବନ୍ତଳା,୧୭ା୫-୧୯୬୪ରେ ବନ୍ତଳା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଚାକିରି ପାଇଁ ସମସ୍ତ ଯୋଗ୍ୟତା ମଧ୍ୟ ଥିଲା। ହେଲେ କଳାର ନିଶା ତାଙ୍କୁ ଏପରି ମତୁଆଲା କରିଥିଲା ଯେ ଚାକିରି କ୍ଷେତ୍ରକୁ ମନ ବଳାଇ ନ ଥିଲେ। ଗୁରୁଙ୍କଠାରୁ ମୃଦଙ୍ଗ ବାଦନା ଶିଖି ଗଁା ଗଁା ବୁଲି ପାଲାରେ ମୃଦଙ୍ଗ ବଜାଇଲେ। ଦଣ୍ଡନୃତ୍ୟରେ ଭାଗ ନେଇ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଲେ। କେବଳ କଳାକାର ନୁହେଁ ସେ ଜଣେ ଭଲ ଚାଷୀ ମଧ୍ୟ। ବର୍ଷ ବର୍ଷ ଧରି କାକୁଡ଼ି ଚାଷ କରି ବେଶ୍‌ ରୋଜଗାର କରୁଥିବା ଏହି ନିଆରା ମଣିଷ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ମନ୍ଦରଧର ସାହୁ (୭୫)।
ଗରିବ ତୈଳିକ ପରିବାରରେ ଜନ୍ମିତ ମନ୍ଦରଧର ପିଲା ଦିନରୁ ପାଲା, ସଂକୀର୍ତ୍ତନ ଓ ଦଣ୍ଡନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ତେଣୁ ସ୍କୁଲ ଶିକ୍ଷା ପରେ ସେ ଚାକିରି କ୍ଷେତ୍ରକୁ ମନ ନ ବଳାଇ ମାଣପୁର ଗ୍ରାମର ବ୍ରଜବନ୍ଧୁ ମହାପାତ୍ରଙ୍କ ଠାରୁ ମୃଦଙ୍ଗ ବାଦନା ଶିକ୍ଷା କଲେ। ଜଣେ ଭଲ ମୃଦଙ୍ଗ ବାଦକ ଭାବେ ପରିଚିତ ହେବା ପରେ ସେ ପାଲା ଗାଏକ ସୁରେଶ ସାହୁଙ୍କ ଟିମ୍‌ରେ ଯୋଗଦେଇ ଗଁା ଗଁା ବୁଲି ତାଙ୍କ କଳା ପ୍ରଦର୍ଶନ କଲେ। ପରେ ଦଣ୍ଡନୃତ୍ୟ ବି ଶିଖି ଦର୍ଶକଙ୍କ ମନୋରଞ୍ଜନ କଲେ। ଅତୀତରେ ଅନେକ ଥର ରେଡିଓ ଏବଂ ଟିଭିରେ ସେ ତାଙ୍କ କଳା ପ୍ରଦର୍ଶନ କରିଛନ୍ତି। ଏବେ ବୟସାଧିକ୍ୟ ଯୋଗୁ ଦଣ୍ଡନୃତ୍ୟରୁ ଦୂରେଇ ଯାଇଥିଲେ ବି ପାଲାରେ ମୃଦଙ୍ଗ ବଜାଇବା ବନ୍ଦ କରିନାହାନ୍ତି। ୫ ବର୍ଷ ହେଲା ତାଙ୍କୁ କଳାକାର ଭାବେ ସରକାରୀ ସ୍ବୀକୃତି ମିଳିଛି। ମାସିକ ୧୫ଶହ ଟଙ୍କାର ଭତ୍ତା ମଧ୍ୟ ମିଳୁଛି। କଳାକାର ବ୍ୟତୀତ ମନ୍ଦରଧର ଜଣେ ଭଲ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ଦୀର୍ଘବର୍ଷ ହେଲା ସେ ନିଜ ଜମିରେ କାକୁଡି ଚାଷ କରି ଗାଁ ଗାଁ ବୁଲି ତାହାକୁ ବିକ୍ରି କରୁଛନ୍ତି। ୧୯୬୫ରେ କେଜି ପ୍ରତି ୭୫ ପଇସାରେ ବିକିଥିବା ମନ୍ଦରଧର ଏବେ ୩୦ ଟଙ୍କା ଦରରେ ଦୈନିକ ୫୦ କେଜି ଯାଏ କାକୁଡ଼ି ବିକ୍ରି କରି ଚଳୁଛନ୍ତି। ପ୍ରତିଦିନ ସକାଳେ ସେ କାକୁଡି ତୋଳି ପୋକତୁଙ୍ଗା, ଶଙ୍ଖପୁର, ବନ୍ତଳା, କଞ୍ଜନି, ନୂଆପଡା, ବସଲା, ହମାମିରା, ବେଡାଶାସନ, ଖାଲଙ୍ଗା, ବାରଗୌଣିଆ, ତଲଗଡ଼, ଖିଣ୍ଡା, ଜାମୁଣ୍ଡା, ମରଣ୍ଡା, ତାଳପଦା, ଜାମୁଗାଡ଼ିଆ, କଞ୍ଜା, ବଡକନ୍ତକୁଳ, ନନ୍ଦପୁର, ମଧୁପୁର ଆଦି ଗ୍ରାମକୁ ବିକ୍ରି ପାଇଁ ଯାଆନ୍ତି। କଳାକାର ହୋଇଥିବାରୁ ଗୀତ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି।

(ଦିନେଶ ଦେହୁରୀ )