ନାରୀ ନିର୍ଯାତନା କାହିଁକି

ଡ. ରମେଶଚନ୍ଦ୍ର ପରିଡ଼ା
ଆମ ସଂସ୍କୃତିରେ ନାରୀକୁ ସମ୍ମାନାସ୍ପଦ ସ୍ଥାନ ପ୍ରଦାନ କରାଯାଇ ଆସିଛି। ସେଇଥିପାଇଁ କୁହାଯାଏ ଯେ, ନାରୀ ଯେଉଁଠି ପୂଜାପାଏ ସେଠାରେ ଦେବତା ବିଦ୍ୟମାନ ହୁଅନ୍ତି। ତଥାପି ସେ ଶାରୀରିକ ସାମର୍ଥ୍ୟରେ ନୂ୍ୟନ ଏବଂ ଅଧିକ ଭାବପ୍ରବଣ ଓ କୋମଳମନା ହୋଇଥିବାରୁ ବାସ୍ତବ ଜୀବନର କଠୋରତାର ସମ୍ମୁଖୀନ ହେବାରେ ପୁରୁଷ ନେଇଛି ଅଗ୍ରଣୀ ଭୂମିକା। ସମ୍ଭବତଃ ଏହି କାରଣରୁ ସମାଜରେ ବଢିଆସିଛି ପୁରୁଷ ପ୍ରାଧାନ୍ୟ ଏବଂ ପରବର୍ତ୍ତୀ ଅବସ୍ଥାରେ ତହିଁରୁ ଆରମ୍ଭ ହୋଇଛି ନାରୀ ନିର୍ଯାତନା- ଦ୍ରୌପଦୀ ବା ଅହଲ୍ୟା ଯୁଗରୁ ଆଜି ପର୍ଯ୍ୟନ୍ତ ତାହା ବ୍ୟାପ୍ତ ହୋଇଚାଲିଛି ବିବିଧ ରୂପରେ। ପରିଣାମସ୍ବରୂପ, ସମାଜକୁ କେତେ ଯେ ମୂଲ୍ୟ ଦେବାକୁ ପଡିଛି ତାହାର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ ମହାଭାରତ ଯୁଦ୍ଧ ତ ଏକ ପୌରାଣିକ କାହାଣୀ, ତେବେ ନିକଟରେ (ମେ’୨୦୧୯) ଏଥିସମ୍ପର୍କରେ ଏକ ସୁନିର୍ଦ୍ଦିଷ୍ଟ ଆକଳନ ପ୍ରସ୍ତୁତ କରିଛି ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା।
ବିଶ୍ୱର ୩୫ ପ୍ରତିଶତ ନାରୀ ସେମାନଙ୍କ ଜୀବନକାଳ ମଧ୍ୟରେ ସ୍ବାମୀ କିମ୍ବା ଅନ୍ୟ କେହି ପୁରୁଷ ଦ୍ୱାରା ଦୈହିକ ନତୁବା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି ବୋଲି ଏଥିରେ ସୂଚିତ କରାଯାଇଛି। ତେବେ, ବଡ଼ ପରିତାପର ବିଷୟ ଯେ, ତନ୍ମଧ୍ୟରୁ ପ୍ରାୟ ୬୮ ପ୍ରତିଶତ ହୋଇଥାଏ ବିବାହ ସମୟରେ ସ୍ତ୍ରୀଙ୍କୁ ସମସ୍ତ ସୁରକ୍ଷା ପ୍ରଦାନ କରିବା ଲାଗି ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ସ୍ବାମୀଙ୍କ ଦ୍ୱାରା। ପୁନଶ୍ଚ ସମୁଦାୟ ନାରୀ ହତ୍ୟାର ୩୮ ଶତାଂଶ ସେହିମାନେ ହିଁ ଘଟାଇଥାନ୍ତି। ଅତଏବ ନାରୀ ନିର୍ଯାତନାର ଏକ ପ୍ରମୁଖ ଭାଗ ହେଲା ସ୍ତ୍ରୀ ନିର୍ଯାତନା। ଏପରି କି ସୁସଭ୍ୟ ବୋଲାଉଥିବା ଏବଂ ମାନବିକ ତଥା ନାରୀ ସ୍ବାଧୀନତାର ପ୍ରବକ୍ତା ରୂପେ ଦାବି କରୁଥିବା ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରବର୍ଗ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ଏଠାରେ ସ୍ତ୍ରୀ ନିର୍ଯାତନା ୨୩.୨ ଶତାଂଶ ହେଲାବେଳେ ପଶ୍ଚିମ ଭୂମଧ୍ୟସାଗରୀୟ ଅଞ୍ଚଳରେ ୨୪.୬ ଶତାଂଶ ଏବଂ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ୩୭ ଶତାଂଶ। ଆମ ଦେଶ ଏ ଦୃଷ୍ଟିରୁ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ସବୁଠୁଁ ଅଗ୍ରଣୀ, ତାହା ୩୭.୬ ଶତାଂଶ।
ଇତିମଧ୍ୟରେ ପ୍ରକାଶ ପାଇଛି ଇକ୍ୟୁଆଲ୍‌ ମେଜର୍ସ-୨୦୩୦ ଦ୍ୱାରା ପ୍ରସ୍ତୁତ ‘ସଷ୍ଟେନେବଲ୍‌ ଡେଭେଲପମେଣ୍ଟ ମୋଲସ୍‌-ଜେଣ୍ଡର୍‌ ଇଣ୍ଡେକ୍ସ’ (ମେ’ ୨୦୧୯)। ‘ଦ ଆଫ୍ରିକାନ୍‌ ଓମେନ୍‌ସ କମ୍ୟୁନିକେଶନ୍‌ ଆଣ୍ଡ ଡେଭେଲପମେଣ୍ଟ’, ‘ମିଲ୍‌ ଆଣ୍ଡ ମାଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ୍‌’, ‘ଓମେନ୍‌ସ ହେଲ୍‌ଥ କୋଆଲିଶନ’ ଏବଂ ‘ପ୍ଲାନ ଇଣ୍ଟରନ୍ୟାଶନାଲ’ ଭଳି ସ୍ବନାମଧନ୍ୟ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକର ସହଯୋଗିତା ଏବଂ ସହଭାଗିତାରେ ପ୍ରତିଷ୍ଠିତ ଏହି ସଂସ୍ଥାର ଆକଳନ ଅନୁସାରେ ପୃଥିବୀରେ ଏଭଳି କୌଣସି ଦେଶ ନାହିଁ ଯେଉଁଠି କି ଲିଙ୍ଗଗତ ସମାନତା ରହିଛି। ତେବେ, ଏହି ସୂଚକାଙ୍କରେ ଶୀର୍ଷରେ ଥିବା ଦେଶଗୁଡିକ ହେଲେ ଡେନ୍‌ମାର୍କ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ, ନରଓ୍ବେ, ସୁଇଜରଲାଣ୍ଡ, ସ୍ଲୋଭେନିଆ, ଜର୍ମାନୀ, କାନାଡା, ଆୟର୍ଲାଣ୍ଡ, କାନାଡା ଏବଂ ସର୍ବନିମ୍ନରେ ଅଛନ୍ତି ସିରୋଲିଓନେ, ଲାଇବେରିଆ, ନାଇଜେରିଆ, ମାଳି, ମାହରିଟାନିଆ, ନାଇଗର୍‌, ୟେମେନ୍‌, କଙ୍ଗୋ, ଡି ଆର୍‌ କଙ୍ଗୋ ଓ ଚାଡ୍‌।
ଏହାର ପ୍ରସ୍ତୁତି ଲାଗି ବିଚାରକୁ ନିଆଯାଇଥିବା ୫୧ଟି ସୂଚକ ମଧ୍ୟରେ ଥିଲା ‘ସଷ୍ଟେନେବ୍‌ଲ ଡେଭେଲପମେଣ୍ଟ ଗୋଲସ୍‌’ରେ ଥିବା ୧୪ଟି। ଉକ୍ତ ସୂଚକଗୁଡିକ ମୁଖ୍ୟତଃ ବାଳିକା ଏବଂ ନାରୀମାନଙ୍କ ସମସ୍ୟା ସମ୍ପର୍କିତ ଥିଲା। ଏଥିରେ ଗଣନା ପାଇଁ ବ୍ୟବହୃତ ପରିମାପକରେ ଥିଲା ଶୂନଠାରୁ ୧୦୦ ପର୍ଯ୍ୟନ୍ତ ଅଙ୍କ। ଆମ ଦେଶ ତହିଁରୁ ହାସଲ କରିଛି ୫୬.୨। ଅତଏବ ତାହା ଅଧ୍ୟୟନ ପରିସରଭୁକ୍ତ ହୋଇଥିବା ୧୨୯ଟି ଦେଶ ମଧ୍ୟରେ ୯୫ତମ ସ୍ଥାନ ଅଧିକାର କରି ‘ଅତି ନିମ୍ନମାନର’ ୪୩ଟି ଦେଶ ତାଲିକାର ଅନ୍ତର୍ଭୁକ୍ତ ହୋଇଛି। ଅନ୍ୟପକ୍ଷରେ ବିଶ୍ୱର ହାରାହାରି ହାସଲ ସଂଖ୍ୟା ହେଉଛି ୬୫.୭ (୧୦୦ରୁ), ଯାହାକି ଅତି ନିମ୍ନମାନର ବୋଲି ବିଚାର କରାଯାଏ। ଅତଏବ ସାରା ଦୁନିଆରେ ପ୍ରାୟ ୧.୪ ହଜାର ନିୟୁତ (୪୦%) ଝିଅ ଏବଂ ନାରୀ ଲିଙ୍ଗୀୟ ସମାନତାର ବହୁମାତ୍ରାରେ ତଳେ ଥିବାବେଳେ ଆହୁରି ୧.୪ ହଜାର ନିୟୁତ (ବିଲିୟନ୍‌) କେବଳ ଏହା ପାଖାପାଖି ଅଛନ୍ତି।
ପୁରୁଷଠାରେ ନାରୀ ନିର୍ଯାତନାକାରୀ ମନୋଭାବ ଉଦ୍ରେକ ହେବାର କିଛି କାରଣ ମଧ୍ୟ ନିର୍ଦ୍ଧାରଣ କରିଛି ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା। ଅଧିକାଂଶ ସ୍ଥଳେ ନାରୀ କମ୍‌ ଶିକ୍ଷିତା ବା ଶିକ୍ଷାରହିତା ହେବା ଏବଂ ତା’ର ଶାରୀରିକ ସାମର୍ଥ୍ୟର ସ୍ବଳ୍ପତାକୁ ଏହା ଏଥିପାଇଁ ଦାୟୀ କରିଛି। ଏହା ବ୍ୟତୀତ ସାଧାରଣତଃ କନ୍ୟାମାନେ ପରିବାର ମଧ୍ୟରେ ଅବହେଳିତ ହୋଇଥାନ୍ତି ଏବଂ ଅନେକ ସ୍ଥଳେ ସେମାନେ ସେମାନଙ୍କ ମା’ମାନେ ବାପାଙ୍କ ଦ୍ୱାରା ନିର୍ଯାତିତା ହେବାର ଦେଖିଆସନ୍ତି। ଏଣୁ ପିଲାଦିନୁ ତାଙ୍କଠାରେ ହୀନମନ୍ୟତା ସୃଷ୍ଟି ହୁଏ ଏବଂ ସେମାନେ ପରବର୍ତ୍ତୀ ଜୀବନରେ ନିର୍ଯାତନାକୁ ବିନା ପ୍ରତିବାଦରେ ଗ୍ରହଣ କରିନିଅନ୍ତି, ଯାହାକି ପୁରୁଷର ଏ ମନୋଭାବକୁ ତ୍ୱରାନ୍ବିତ କରେ। ତେବେ ଏହାର କୁପରିଣାମ ପ୍ରତିଫଳିତ ହୁଏ ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ। ଉଦାହରଣସ୍ବରୂପ, (୧) କମ୍‌ ବୟସରେ ଯୌନ ନିର୍ଯାତନା ପରବର୍ତ୍ତୀ ଜୀବନରେ ତାକୁ ଧୂମପାନ, ମଦ୍ୟପାନ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ପ୍ରତି ଆକୃଷ୍ଟ କରେ ଏବଂ ତା’ର ସଙ୍କଟମୟ ଯୌନ ଆଚରଣର କାରଣହୁଏ। (୨) ପ୍ରାୟ ୪୨ ପ୍ରତିଶତ ନିର୍ଯାତିତା ନାରୀଙ୍କଠାରେ କୌଣସି ନା କୌଣସି ପ୍ରକାର ସ୍ଥାୟୀ କ୍ଷତ ସୃଷ୍ଟି ହୋଇଥାଏ, ଯାହାକି ଅନେକସ୍ଥଳେ ତାଙ୍କର ଶାରୀରିକ ସକ୍ରିୟତା ହ୍ରାସ କରେ। (୩) ସ୍ବାମୀଠାରୁ ନିୟମିତ ଦୈହିକ କିମ୍ବା ଯୌନ ନିର୍ଯାତନା ଭୋଗ କରୁଥିବା ନାରୀର ଏଡ୍‌ସ ସମେତ ବିବିଧ ଯୌନବ୍ୟାଧିର ଶିକାର ହେବାର ସମ୍ଭାବନା ଦେଢ଼ଗୁଣ ଅଧିକ। (୪) ଏହା ତାଙ୍କଠାରେ ମାନସିକ ଚାପ, ଦୁଶ୍ଚିନ୍ତା, ନିଦ୍ରାହୀନତା, ଖାଦ୍ୟ ଗ୍ରହଣରେ ଅନିୟମିତତା ଏବଂ ଆତ୍ମହତ୍ୟା କରିବାର ମନୋଭାବ ସୃଷ୍ଟିକରେ। (୫) ସେମାନେ ଦୀର୍ଘସ୍ଥାୟୀ ମୁଣ୍ଡବ୍ୟଥା, ଅଣ୍ଟାରେ ଯନ୍ତ୍ରଣା, ତଳିପେଟରେ ଯନ୍ତ୍ରଣା, ଜଠରାନ୍ତ୍ରିକ ବିଶୃଙ୍ଖଳା, ଚଳତ୍‌ଶକ୍ତି ହ୍ରାସ ଏବଂ ସାମଗ୍ରିକ ଭାବେ ଅସୁସ୍ଥତା ଅନୁଭବ କରନ୍ତି। (୬) ଏହି ନାରୀମାନଙ୍କ କ୍ଷେତ୍ରରେ ଗର୍ଭପାତର ଏବଂ ଶାରୀରିକ ତଥା ମାନସିକ ରୁଗ୍ଣ ସନ୍ତାନ ଜନ୍ମଦେବାର ସମ୍ଭାବନା ପ୍ରାୟ ଦୁଇଗୁଣ ଅଧିକ।
ଏ ସମସ୍ତ ବିଚାରକୁ ନେଇ ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ସତର୍କବାଣୀ ଶୁଣାଇଛି ଯେ ସ୍ତ୍ରୀ ବା ନାରୀଙ୍କ ପ୍ରତି ହିଂସା ଆଚରଣ କେବଳ ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ କରେନା, ସେଥିସହିତ ତାହା ସୃଷ୍ଟି କରେ ଏକ ବୃହତ୍‌ ଜନସ୍ବାସ୍ଥ୍ୟ ସମସ୍ୟା। ମାନବସମ୍ବଳ ତଥା ସାମାଜିକ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଆକଳନ କରାଗଲେ ତାହା ଅଜସ୍ର ହେବ। ଏଣୁ ଏହା ଜାତିସଂଘ ଏବଂ ଅନ୍ୟାନ୍ୟ କିଛି ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗରେ ‘ରେସ୍‌ପେକ୍ଟ’ ନାମକ ଏକ ମାର୍ଗଦର୍ଶିକାର ବିକାଶ କରିଛି ଏବଂ ନାରୀ ନିର୍ଯାତନାର ପ୍ରତିକାର ଲାଗି ସରକାରମାନଙ୍କୁ ଏହା ଅନୁସରଣ କରିବା ଲାଗି ସୂଚିତ କରିଛି।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri