Categories: ଜାତୀୟ

ନାମାଙ୍କନପତ୍ର ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ ,୨୨।୧: ଦୀର୍ଘ ୬ ଘଣ୍ଟାକାଳ ଅପେକ୍ଷା କରିବା ପରେ ଏଏପି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନୂଆଦିଲ୍ଲୀ ଆସନ ଲାଗି ମଙ୍ଗଳବାର ସନ୍ଧ୍ୟା ୬.୩୦ରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଲାଇନ୍‌ରେ କେଜ୍‌ରିଓ୍ବାଲଙ୍କ ନମ୍ବର ୪୫ ଥିବାବେଳେ ଆଗରେ ରହିଥିବା ଭାଜପା ପ୍ରାର୍ଥୀମାନେ ଜାଣିଶୁଣି ଏଭଳି ବିଳମ୍ବ କରିଥିବା ଏଏପି ପକ୍ଷରୁ ଅଭିଯୋଗ କରାଯାଇଛି। ନାମାଙ୍କନପତ୍ର ଦାଖଲ ପୂର୍ବରୁ କେଜ୍‌ରିଓ୍ବାଲ କହିଥିଲେ, ଆଗାମୀ ୫ ବର୍ଷ ଲାଗି ଯାତ୍ରା ଏବେଠାରୁ ଆରମ୍ଭ ହେଲା। ଦିଲ୍ଲୀର ବିକାଶ ଓ ଦୁର୍ନୀତିମୁକ୍ତ ସମାଜ ଗଠନ କ୍ଷେତ୍ରରେ ସେ କାମ କରିବେ ବୋଲି କେଜ୍‌ରିଓ୍ବାଲ ପ୍ରକାଶ କରିଥିଲେ। ଭାଜପା ଏଠାରୁ ପ୍ରଦେଶ ଯୁବମୋର୍ଚ୍ଚା ସଭାପତି ସୁନିଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ତା’ର ଏନ୍‌ଡିଏ ସହଯୋଗୀ ଜେଡିୟୁ ଓ ଏଲ୍‌ଜେପି ସହ ମେଣ୍ଟ କରିବାରେ ସଫଳ ହୋଇଛି। ଭାଜପା ମୋଟ ୭୦ ଆସନରୁ ୬୭ ଆସନରେ ପ୍ରାର୍ଥୀ ଦେଉଥିବାବେଳେ ଜେଡିୟୁ ୨ ଓ ଏଲ୍‌ଜେପି ଗୋଟିଏ ଆସରେ ଲଢ଼ିିବେ। ତେବେ ଭାଜପାର ପୁରୁଣା ସହଯୋଗୀ ଏସ୍‌ଏଡି(ଶିରୋମଣି ଅକାଳି ଦଳ) ଦିଲ୍ଲୀ ନିର୍ବାଚନ ଭାଜପା ସହ ମିଶି ଲଢ଼ିବ ନାହିଁ ବୋଲି ସଫା ସଫା ମନାକରିଦେଇଛି। ସିଏଏକୁ ନେଇ ଏସ୍‌ଏଡି ଏଭଳି ଆଭିମୁଖ୍ୟ ପୋଷଣ କରିଛି।
ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀ ମିଳିତ ଖବରଦାତା ସମ୍ମିଳନୀରେ ଏନ୍‌ଡିଏ ସହଯୋଗୀ ଦଳମାନେ ଏକାଠି ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରକାଶ କରିଛନ୍ତି। ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାର ବୁରାରି, ଏସ୍‌ସିଏଲ୍‌ ଗୁପ୍ତା ସଙ୍ଗମ ବିହାର ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଏଲ୍‌ଜେପିର ସନ୍ତଲାଲ୍‌ ଚଓ୍ବାରିଆ ସୀମାପୁରୀ ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଦିଲ୍ଲୀରେ ଜେଡିୟୁ ନେତା ନୀତୀଶ କୁମାର, ଏଲ୍‌ଜେପି ନେତା ରାମବିଳାସ ପାଶ୍ୱାନ, ଚିରାଗ ପାଶ୍ୱାନ ପ୍ରମୁଖ ଭାଜପା ନେତାଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

Share